ଅଦ୍ଭୁତ ସ୍ତ୍ରୀ! ବିଲେଇର ଅଧିକ ଯତ୍ନ ନେଉଥିବାରୁ ସ୍ୱାମୀଙ୍କ ନାମରେ ଆଣିଲା ଅଭିଯୋଗ

ନୂଆଦିଲ୍ଲୀ: ଆମ ଦେଶର ଆଇନ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ହୋଇଛି । ହେଲେ କିଛି ଲୋକେ ଆଇନର ଅପବ୍ୟବହାର କେବଳ ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ କରିଥାଆନ୍ତି । ଏପରି ଏକ ମାମଲା କର୍ଣ୍ଣାଟକ ହାଇକୋର୍ଟରେ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ଉପରେ ଏଥିପାଇଁ ଅଭିଯୋଗ ଆଣିଛନ୍ତି ଯେ, କାରଣ ତାଙ୍କ ସ୍ୱାମୀ ବିଲେଇର ଯତ୍ନ ଅଧିକ ନେଉଥିଲେ । ମହିଳା ଜଣକ ବେଙ୍ଗଲୁରୁ ବାସିନ୍ଦା ଅଟନ୍ତି ।

ମହିଳାଙ୍କ ଅଭିଯୋଗ ରହିଛି ଯେ, ସ୍ୱାମୀ ତାଙ୍କଠାରୁ ଅଧିକ ନିଜ ବିଲେଇକୁ ଭଲପାଆନ୍ତି ଏବଂ ତା’ର ଅଧିକ ଯତ୍ନ ନିଅନ୍ତି । ତାଙ୍କ ସ୍ୱାମୀ ଏତେ ପରିମାଣରେ ବିଲେଇକୁ ଭଲପାଇଲେ ଯେ, ଏଥିପାଇଁ ଘରେ ଝଗଡ଼ା ଆରମ୍ଭ ହୋଇଗଲା । ସେହି ବିଲେଇ ମଧ୍ୟ ମହିଳାଙ୍କ ଉପରେ ଅନେକ ଥର ଆକ୍ରମଣ କରିଛି । ଏଥିପାଇଁ ଘରେ ଅଧିକ ଚିନ୍ତା ବଢିଯାଇଛି । ମହିଳାଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀ ବିଲେଇ ସାମ୍ନାରେ ତାଙ୍କୁ ଅଣଦେଖା କରୁଥିଲେ ।

ମହିଳାଙ୍କ ଅଭିଯୋଗ ପରେ ସ୍ୱାମୀଙ୍କ ବିରୋଧରେ ଆଇପିସି ଧାରା ୪୯୮ଏ ଅନୁଯାୟୀ ନିଷ୍ଠୁରତାର ମାମଲା ରୁଜ୍ଜୁ କରାଯାଇଥିଲା । ମମଲାଟି କର୍ଣ୍ଣାଟକର ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଗଲା । କୋର୍ଟ ଏହି ମମଲାର ଶୁଣାଣି କରି ଏହି ମାମଲାକୁ ମୂଲ୍ୟହିନ ଏବଂ ଆଇନ ପ୍ରକ୍ରିୟାର ଅପବ୍ୟବହାର ବୋଲି କହିଛନ୍ତି । ମାମଲାର ଶୁଣାଣି କରୁଥିବା ବିଚାରପତି ଏମ ନାଗପ୍ରସନ୍ନା ଏହା ଉପରେ ଟିପ୍ପଣି କରିଛନ୍ତି ।