ଭୁବନେଶ୍ୱର: ଶୀତରେ ଥରୁଛନ୍ତି ଓଡ଼ିଶାବାସୀ। ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ହ୍ରାସ ପାଇବା ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟର ଅନେକ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଇଛି। ଏହିସବୁ ସହରରେ ବର୍ତ୍ତମାନ ଥଣ୍ଡାର ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାତି ତାପମାତ୍ରା ଅନୁସାରେ ଓଡ଼ିଶାର ସବୁଠୁ ଥଣ୍ଡା ସହର ଜି.ଉଦୟଗିରିର ତାପମାତ୍ରା ୫.୨, ସେମିଳିଗୁଡ଼ା ଓ ଫୁଲବାଣୀ ୯, ରାଉରକେଲା ୭.୨, କିରେଇ ୮.୮, ଦାରିଙ୍ଗବାଡ଼ି ୧୦.୫, ବୌଦ୍ଧ ୧୦.୨, ଚିପିଲିମା ୧୦.୨, ଝାରସୁଗୁଡ଼ା ୮, ସୁନ୍ଦରଗଡ଼ର ତାପମାତ୍ରା ୧୦ ଡିଗ୍ରୀ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଭୁବନେଶ୍ବରର ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ କଟକର ତାପମାତ୍ରା ୧୨ଡିଗ୍ରୀ ରହିଛି। ଏଥିସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଶୀତ ଲହରୀର ସତର୍କତା ଜାରି କରାଯାଇଛି।
ସୂଚନା ଅନୁସାରେ, ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଶୀତ । ତେବେ ଡିସେମ୍ବର ମାସ ସବୁଠାରୁ ଥଣ୍ଡା ମାସ ବୋଲି ପ୍ରମାଣିତ ହେବାକୁ ଯାଇଛି । ସାରା ଦେଶରେ ଭୀଷଣ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପ୍ଟେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଥିଲା । ପ୍ରଶାନ୍ତ ମହାସାଗରରେ ଲ ନିନା ସାରା ଦେଶରେ ତାପମାତ୍ରା ଅଧିକ ହ୍ରାସ ପାଇବ । ଶୀତଳା ପବନ ବହିବା ସହିତ କେତେକ ସ୍ଥାନରେ ବରଫ ମଧ୍ୟ ପଡିବାର ସମ୍ଭାବନା ରହିଛି । ଭାରତରେ ଲ ନିନା ଇଫେକ୍ଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ୨୦୦୧ ମସିହାରେ ଲ ନିନା ଇଫେକ୍ଟର ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ଚଳିତ ବର୍ଷ ଏହାର ପ୍ରଭାବ ଭାରତରେ ୩ ମାସ ରହିବ । ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ମାସରେ ରେକର୍ଡ ଭାଙ୍ଗିବ ଶୀତ ।