ବିଷ୍ଣୁପଦଙ୍କ ପାଇଁ ସୁରକ୍ଷା ବଳୟରେ ରାଜଧାନୀ, କିଛି ବଡ ଘଟିବା ନେଇ ଚର୍ଚ୍ଚା

ଭୁବନେଶ୍ୱର- ସିବିଆଇ ଅଫିସରେ ହଲଚଲ ପରେ ସେଠାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଛି କମିଶନରେଟ ପୋଲିସ। ମନି ଲଣ୍ଡରିଂ ଘଟଣାରେ ୩ ଅଭିଯୁକ୍ତଙ୍କର ଆଜି ରିମାଣ୍ଡ ସରୁଥିବା ବେଳେ ବିଷ୍ଣୁପଦ ସେଠୀ ପୁଣି ଆଜି ସିବିଆଇ ଅଫିସ ଆସିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଓ ବିଷ୍ଣୁପଦଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ ଚେତାବନୀ ଦିଆଯାଇଛି। ରାଜଧାନୀରେ ବଢୁଛି ସୁରକ୍ଷା କଟକଣା, ବଢୁଛି ହୃଦୟ ସ୍ପନ୍ଦନ। ସେପଟେ କମିଶନରେଟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଗତ ୭ ତାରିଖ ରାତିରେ ଏକ ହୋଟେଲ ସମ୍ମୁଖରେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଳ ମୁଖାର୍ଜୀ ଜଣେ ଠିକାଦାର ସନ୍ତୋଷ ମହାରଣାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ଉଭୟଙ୍କ ସହ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରିଥିଲା । ସେମାନଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରାଯିବା ବେଳେ ସାମ୍ନାକୁ ଆସିଥିଲା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ କଳାକାରନାମା । ତେବେ ୧୧ରେ ସିବିଆଇ ସେଠୀଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ବେ ସେ ହାଜର ହୋଇନାହାନ୍ତି ।

ମାମଲାରେ ସିବିଆଇ ସେଠୀ ପ୍ରମୁଖ ସଚିବ ଥିବା ତିନି ବିଭାଗର ୩ ଜଣ ଡ୍ରାଇଭରଙ୍କୁ ନେଇ ଜେରା କରିଛି । ତେଣୁ ଆଜି ସେଠୀ ନିଜେ ସିବିଆଇ ସମ୍ମୁଖରେ ହାଜର ହେବା ନେଇ ଚର୍ଚ୍ଚା ହେଉଛି । ତେଣୁ ସିବିଆଇ ଅଫିସରେ ଅଧିକାରୀଙ୍କ ହଲଚଲ ଭିତରେ ବାହାରେ ଲୋକଙ୍କ ଆଖି ଟାକି ରହିଛି ।

ସେପଟେ ଓଡିଶା କାଡରର ଏହି ବରିଷ୍ଠ ଆଇଏଏସଙ୍କ କଳାକାରନାମା ପଦାକୁ ଆସିବା ପରେ ତାତିଛି ରାଜ୍ୟ କଂଗ୍ରେସା ଏହି କେଳେଙ୍କାରୀକୁ ବିରୋଧ କରି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସିବିଆଇ ଅଫିସ ଓ ସେଠୀଙ୍କ ବାସ ଭବନ ସମ୍ମୁଖରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛନ୍ତି । ଏହି ସବୁ ହଲଚଲ ଓ ଚେତାବନୀକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଆକ୍ଟିଭ ହୋଇଉଠିଛି । ସିବିଆଇ ଅଫିସ ସହ ରାଜଧାନୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡା କରିଛି ।

ତେବେ ଆଜି ରିମାଣ୍ଡ ପରେ ୩ ଅଭିଯୁକ୍ତ ଝାରପଡା ଯିବେ। ତାଙ୍କ ଓକିଲ ଆଜି ବେଲ ଆବେଦନ କରିବେ ବୋଲି ଚର୍ଚ୍ଚା ବି ହେଉଛି। ମାତ୍ର ସୁରକ୍ଷା ବଳୟ ବଢାଇବା କେଉଁଠି ନା କେଉଁଠି କିଛି ବଡ ଘଟଣା ଘଟିବା ଆଡକୁ ଇଙ୍ଗିତ କରୁଛି ।