ମନଲୋଭା ପିକନିକ୍ ସ୍ଥଳ ‘କରକ’ ଜଳପ୍ରପାତ; ପିକନିକ୍ ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼, ପର୍ଯ୍ୟଟନ ସ୍ଥଳୀ ପାଇଁ ମାନ୍ୟତା ଦାବି
କଳାହାଣ୍ଡି: ପାଖେଇ ଆସିଲାଣି ନୂଆ ବର୍ଷ । ଏଥିପାଇଁ ଏବେ ଠାରୁ ଚଳଚଞ୍ଚଳ ବଭିନ୍ନ ପର୍ଯ୍ୟଟନ ସ୍ଥଳୀ । ପିକନିକ୍ ପାଇଁ ପ୍ରାୟ ଅନେକ ସ୍ଥାନରେ ଜମୁଛି ଲୋକଙ୍କ ଭିଡ଼ । ପରିବାର ଓ ସାଙ୍ଗସାଥୀଙ୍କ ସହ ମଜାମଜଲିସ କରିବାର ଏବେ ହିଁ ଉପକୃଷ୍ଟ ସମୟ । ଏଥିମଧ୍ୟରେ ପ୍ରକୃତିର ଅପରୂପ ଶୋଭା ସମ୍ଭାରରେ ବିମଣ୍ଡିତ କଳାହାଣ୍ଡିର ମନଲୋଭା ଦୃଶ୍ୟରାଜି ଆଜି ବି ପର୍ୟ୍ୟଟକଙ୍କ ଚିତ୍ତ ହରଣ କରି ଆସୁଛି । ସୁଉଚ୍ଚ ପାହାଡ଼ ପର୍ବତ, ଘଞ୍ଚ ଅରଣ୍ୟ ପରିବେଷ୍ଠିତ ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି । ବର୍ଷର ସବୁ ସମୟ, ବିଶେଷ କରି ଶୀତ ଋତୁରେ କଳାହାଣ୍ଡିର କୋଣ ଅନୁକୋଣରେ ଥିବା ପ୍ରକୃତିର ସୁନ୍ଦର ଓ ମନୋଲୋଭା ଛବି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଜିଲ୍ଲାର କୋକସରା ବ୍ଳକ ଆମପାଣିଠାରେ ଥିବା ମନଲୋଭା ‘କରକ’ ଜଳପ୍ରପାତ ପ୍ରକୃତିର ଏକ ମହତ୍ତ୍ୱପୂର୍ଣ୍ଣ ଦାନ । ଏବେ ଶୀତ ଋତୁରେ ଏହି ସ୍ଥାନରେ ପିକନିକ୍ ପାର୍ଟିର ଭିଡ଼ ଜମୁଥିବା ବେଳେ ପ୍ରକୃତିର ଭରପୁର ମଜା ନେଉଛନ୍ତି ପର୍ଯ୍ୟଟକ ।
ଆମପାଣି ଠାରୁ ପ୍ରାୟ ୩କିମି. ଦୂର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଅବସ୍ଥିତ ଏହି କରକ ଜଳପ୍ରପାତରୁ ବୋହିଯାଉଥିବା ଜଳରାଶି, ଥଣ୍ଡା ପରିବେଶ ଏବଂ ସବୁଜ ବନାନୀ ଘେରା ସ୍ଥାନ ପୁଣି ଥରେ ନୂଆବର୍ଷ ଆଗରୁ ପର୍ଯ୍ୟଟକମାନଙ୍କ ପାଇଁ ସଜେଇ ହୋଇ ରହିଛି। ଏମିତିରେ ଏବେ ପିକନିକ୍ ଋତୁ ଆରମ୍ଭ ହୋଇ ଥିବାବେଳେ ଡ଼ିସେମ୍ବର ଆରମ୍ଭରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଛୁଟୁଛି । ପ୍ରକୃତି ରାଣୀର କୋଳରେ କୁଳୁକୁଳୁ ଝରଣାର ନାଦ ଓ ଅପରୂପ ସୌନ୍ଦର୍ଯ୍ୟରେ ମଣ୍ଡିତ ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଥିବା ‘କରକ’ ଜଳପ୍ରପାତ ଉପରୁ ଝରିପଡୁଥିବା ଜଳଧାର ଶୀତୁଆ ‘ସକାଳ’ ର ସୁନେଲି କିରଣ ପର୍ଯ୍ୟଟକଙ୍କୁ ବିଭୋର କରୁଛି । ଜଳପ୍ରପାତର ଚାରି ଆଡକୁ ଘେରି ରହିଛି ଘଞ୍ଚ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସୁଛନ୍ତି । ଏହି ସ୍ଥାନର ବିଶେଷ କିଛି ବିକାଶ ହୋଇ ନାହଁ, ପୂର୍ବ ସରକାରଙ୍କ ସମୟରେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଅନୁଦାନ ମିଲିଥିବାବେଳେ ଏହାର ଉନ୍ନତିକରଣ କାର୍ଯ୍ୟ ବନ ବିଭାଗ ହାତକୁ ନେଇଥିଲା। ଗୋଟିଏ ୱାଚ୍ ଟାୱାର ନିର୍ମାଣରେ ସମୀତ ହୋଇ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ଉନ୍ନତି କାର୍ଯ୍ୟ ହୋଇ ପାରିନାହିଁ। ରାସ୍ତା ସଂକୀର୍ଣ୍ଣ ଥିବାରୁ ଝରଣା ନିକଟକୁ ଯିବା ପାଇଁ ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡୁଛି । ତେଣୁ ରାସ୍ତା ତିଆରି କରିବା ସହ ଯାତ୍ରୀଙ୍କ ପାଇଁ ବିଶ୍ରାମ କକ୍ଷ, ପିଇବା ପାଣି, ଶୌଚାଳୟ ଆଦି ବ୍ୟବସ୍ଥା କରିବା ସହ ‘କରକ’ ଜଳପ୍ରପାତକୁ ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେଇ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବାକୁ ଦାବି ହୋଇଛି ।