ITR ଫାଇଲ କରୁନଥିବା ଲୋକଙ୍କଠାରୁ ବିଭାଗ ଆଦାୟ କରୁଛି ଜରିମାନା ସହ Tax

ନୂଆଦିଲ୍ଲୀ- ଆପଣ ଆୟକର ଦେବାକୁ ଯୋଗ୍ୟ, ହେଲେ ଟ୍ୟାକ୍ସ ଦେଉନାହାନ୍ତି । ତେବେ ହୋଇଯାଆନ୍ତୁ ସାବଧାନ । ଆୟକର ବିଭାଗ କାହାକୁ ଛାଡିବ ନାହିଁ । ଟ୍ୟାକ୍ସ ଫାଙ୍କୁଥିବା ଲୋକଙ୍କୁ ଧରିବା ଆରମ୍ଭ କରିଛି ବିଭାଗ । ଆୟକର ବିଭାଗ ଗତ ୨୦ ମାସରେ ଟ୍ୟାକ୍ସ ଫାଇଲ କରୁନଥିବା ଲୋକଙ୍କୁ ଧରି ସେମାନଙ୍କଠାରୁ ୩୭,୦୦୦ କୋଟି ଟଙ୍କା ଆଦାୟ କରିଛି । ଯଦି ଆପଣଙ୍କ ଆୟ ଟ୍ୟାକ୍ସ ପଇଠ କରିବା ଲାଇନରେ ରହୁଛି ତେବେ ତୁରନ୍ତ ଆଇଟିଆର ଫାଇଲ କରନ୍ତୁ ।

ଆଜିର ଆଧୁନିକ ଟେକ୍ନୋଲୋଜିରେ କାହାକୁ ଖୋଜି ପାଇବା ସରକାରୀ ବିଭାଗ ପାଇଁ କିଛି ନୂଆ କଥା ନୁହେଁ । ତେଣୁ ଆଇଟିଆର ଫାଇଲ ନ କରି, ଟ୍ୟାକ୍ସ ଫାଙ୍କି ସୁନା ଅଳଙ୍କାର, ଦାମୀ ରତ୍ନ ତଥା ଜାଗା ବାଡି କରିଥିବା ଲୋକଙ୍କୁ ଧରୁଛି ଆୟକର ବିଭାଗ । ଇକନୋମିକ୍ସ ଟାଇମ୍ସର ରିପୋର୍ଟ ମୁତାବକ, ଆୟକର ବିଭାଗ ୨୦୧୯-୨୦ ପରେ ଏମିତି ଦେଣ ନେଣ ଡାଟାକୁ ବିଶ୍ଳେଷଣ କରି ଏମାନଙ୍କ ପାଖରେ ପହଞ୍ଚିଛି । ଏମାନଙ୍କଠାରୁ ୧,୩୨୦ କୋଟି ଟଙ୍କା ଜବତ କରିଛି ।

ଟ୍ୟାକ୍ସ ଚୋରି ଧରିବାକୁ ବିଭାଗ ଆଡଭାନ୍ସ ଡାଟା ଓ ଆନାଲିଟିକ୍ସ ଟେକ୍ନୋଲୋଜିର ସାହାରା ନେଇଛି । ଏଥିରୁ ନନ ଫାଇଲରଙ୍କୁ ଚିହ୍ନଟ କରାଯାଉଛି । ଟ୍ୟାକ୍ସ ଚୋରି ବନ୍ଦ କରିବାକୁ ଟ୍ୟାକ୍ସ ଡିଡକ୍ସନ ଏଡ ସୋର୍ସର ନିୟମକୁ କଡା କରାଯାଇଛି । ରିପୋର୍ଟ ମୁତାବକ, ଏପ୍ରିଲରୁ ନଭେମ୍ବର ମଧ୍ୟରେ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ୧୫.୪ ପ୍ରତିଶତ ବୃଦ୍ଧି ପାଇ ଏହି ସଂଖ୍ୟ ୧୨.୧୦ ଲକ୍ଷ କୋଟି ହୋଇଛି । ସେଥିରୁ ୫.୧୦ ଲକ୍ଷ କୋଟି କର୍ପୋରେଟ ଟ୍ୟାକ୍ସ ଓ ୬.୬୧ ଲକ୍ଷ କୋଟି ଅଣ କର୍ପୋରେଟ ଟ୍ୟାକ୍ସ ।