କାଙ୍ଗଡା- ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ଧର୍ମଶାଳା ତହସିର ଅନ୍ତର୍ଗତ ପାଲମପୁରରେ ଅବସ୍ଥିତ ଚାମୁଣ୍ଡା ଦେବୀ ମନ୍ଦିର କଡରେ ଥିବା ଶ୍ମଶାନର ଘାଟ ଏମିତି ଏକ ଶେଷକୃତ୍ୟର ସ୍ଥଳୀ ଯେଉଁଠି ରାକ୍ଷସ ଶବ ଖାଉଥିବାର ମାନ୍ୟତା ରହିଛି । ଏହି ଶ୍ମଶାନ ଘାଟରେ ଦୈନିକ ଶହ ଶହ ଶବ ଜଳାଇଥାନ୍ତି ।
ଏକ ପୌରାଣିକ କଥା ଅନୁଯାୟୀ, ଏହି ସ୍ଥାନରେ ଜିନ୍ଦାବଳୀ ନାମକ ରାକ୍ଷସ ବାସ କରୁଥିଲା । ସେ ସେଠାକୁ ଆସୁଥିବା ଲୋକଙ୍କୁ ମାରି ଖାଇଦେଉଥିଲା । ଏଥିରେ ଭୟଭୀତ ହୋଇ ସେହି ସମୟରେ ସେଠାରେ ରାଜୁତି କରୁଥିବା ରାଜା ରାକ୍ଷସକୁ ବିନମ୍ର ଅନୁରୋଧ କରିଥିଲେ ପ୍ରଜାଙ୍କୁ ଛାଡି ଦେବାକୁ । ଏଥିରେ ରାକ୍ଷସ କହିଥିଲା, ତେବେ ମୁଁ କେମିତି ବଞ୍ଚିବି । ରାଜା କହିଥିଲେ, ପ୍ରତି ଦିନ ଜଣେ ମୃତ ବା ଜୀବିତ ବ୍ୟକ୍ତିଙ୍କୁ ଆପଣଙ୍କ ଭୋଜନା ପାଇଁ ପଠାଯିବ । ଏହା ବାଦ ଆପଣ ଅନ୍ୟ କାହାକୁ ମାରି ଖାଇବେ ନାହିଁ ।
ସେବେଠାରୁ ଗାଁରେ କାହାର ମୃତ୍ୟୁ ହେଲେ ସେହି ରାକ୍ଷସ ଉଦ୍ଦେଶ୍ୟରେ ଶବକୁ ଅର୍ପିତ କରାଗଲା । ଯେଉଁଦିନ କାହାର ବି ମୃତ୍ୟୁ ହେଉ ନ ଥିଲା, କୌଣସି ଜୀବିତ ବ୍ୟକ୍ତିକୁ ଶ୍ମଶାନକୁ ରାକ୍ଷସ ପାଇଁ ପଠାଯାଉଥିଲା । ସେହି ରାଜ୍ୟରେ ଜଣେ ମହିଳାଙ୍କ ଗୋଟିଏ ବୋଲି ପୁଅର ଦିନେ ପାଳି ପଡିଲା ।ମହିଳା ପୁଅର ଜୀବନ ବଞ୍ଚାଇବାକୁ ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଦେବ ଦେବ ମହାଦେବଙ୍କୁ ଭୋଗ ଲଗାଇଲେ । ମହିଳାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଶିବ ସାଧୁ ବେଶରେ ଆସିଲେ ।
କିନ୍ତୁ ମହିଳାଙ୍କ ଆଖିରେ ଲୁହ ଦେଖି ଶିବ ପଚାରିଲେ କାନ୍ଦିବାର କାରଣ । ମହିଳା ସବୁ କଥା କହିଥିଲେ । ମହିଳାଙ୍କୁ ଆଶ୍ୱସ୍ତ କରି ତାଙ୍କ ପୁଅ ଯାଗାରେ ସାଧୁ ବେଶି ଶିବ ଶ୍ମଶାନକୁ ଗଲେ ଓ ସେହି ଅସୁରକୁ ମାରିଦେଲେ । ମରିବା ପରେ ରାକ୍ଷସ ଶିବଙ୍କ ଆରାଧନା କରି ସନ୍ତୁଷ୍ଟ କଲା । ଶିବ ରାକ୍ଷସକୁ ବରଦାନ ଦେଲେ କି, ଶ୍ମଶାନରେ ରହିଥାଅ ଓ ଯେତେବେଳେ କୌଣସି ଶବ ଏଠାକୁ ଆସିବ ତାକୁ ଖାଅ । ଏଥିରେ ତୁମକୁ କୌଣସି ପାପ ଲାଗିବ ନାହିଁ ।
ତେଣୁ ଆଜି ମଧ୍ୟ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକେ ବିଶ୍ୱାସ କରନ୍ତି କି, ଶ୍ମଶାନରେ ରାକ୍ଷସ ଜଗି ବସିଛି । କାହାର ମୃତ୍ୟୁ ହେଲେ ସେହି ଶବକୁ ରାକ୍ଷସ ଖାଉଛି ।