ବର୍ଷ ୨୦୨୫କୁ ନେଇ ଅଙ୍କ, ଜ୍ୟୋତିଷ ଶାସ୍ତ୍ର କଣ କହୁଛି?

ଓଡିଶା ଭାସ୍କର- ଦିନ କେଇଟା ପରେ ଆସିବ ନୂଆବର୍ଷ । ୨୦୨୪ ବିଭିନ୍ନ ଦେଶ ଭିତରେ ଯୁଦ୍ଧ, ମାନ୍ଦାବସ୍ଥା, ସାମ୍ପ୍ରଦାୟିକ ହିଂସା ଓ ରାଜନୈତିକ ଅସ୍ଥିରତା ଭିତରେ ଗତି କରିଥିବା ବେଳେ ଆସନ୍ତା ବର୍ଷ କେମିତି କଟିବ ତାକୁ ନେଇ ଜ୍ୟୋତିଷମାନେ ବିଭିନ୍ନ ଭବିଷ୍ୟବାଣୀ କରୁଛନ୍ତି । ତେବେ ବର୍ଷର ଗତି ଗ୍ରହଙ୍କ ଚଳନ ଉପରେ ନିର୍ଭର କରିଥାଏ । ୨୦୨୫ରେ କଣ ରହିଛି ଗ୍ରହଙ୍କ ଚଳନ ଓ ପ୍ରଭାବ, ତାକୁ ନେଇ କଣ କହୁଛନ୍ତି ଜ୍ୟୋତିଷ ଆସନ୍ତୁ ଜାଣିବା ।

୨୦୨୫ ବର୍ଷର ରାଜା ଓ ମନ୍ତ୍ରୀ ଉଭୟ ସୂର୍ଯ୍ୟ । ଶାସ୍ତ୍ର ମୁତାବକ ରାଜା ଓ ମନ୍ତ୍ରୀ ଏକ ହେଲେ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳେ । ସୂର୍ଯ୍ୟ ତାପରେ ସିଝିବ ସାରା ଦୁନିଆ । କମ ବର୍ଷାର ମଧ୍ୟ ଯୋଗ ରହିଛି । ଫଳରେ ଫସଲ ଅମଳ କମିବ ଓ ସାମଗ୍ରିକ ଦରଦାମ ବୃଦ୍ଧିର ସମ୍ଭାବନା ରହିଛି ।

ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତା ବର୍ଷର ଅଙ୍କ ୯ ରହିବ । ଏହା ମଙ୍ଗଳଙ୍କ ଅଙ୍କ । ମଙ୍ଗଳ ଯୁଦ୍ଧ, ରକ୍ତପାତ, ଦୁର୍ଘଟଣା, ହିଂସା ଆଦିର କାରକ ଅଟନ୍ତି । ଅର୍ଥାତ୍ ଆସନ୍ତା ବର୍ଷରେ ବିଶ୍ୱରେ ଜାରି ଥିବା ଯୁଦ୍ଧର ପରିସମାପ୍ତିର କୌଣସି ସମ୍ଭାବନା ଦେଖାଦେଉ ନାହିଁ । ବରଂ ଏହା ଅଧିକ ଭୟଙ୍କର ହେବା ଅଙ୍କ ଶାସ୍ତ୍ର କହୁଛି ।

୨୦୨୫ରେ ଶନି କୁମ୍ଭ ରାଶିରୁ ମୀନ ରାଶିକୁ ପ୍ରବେଶ କରିବେ । ୨୯ ମାର୍ଚ୍ଚ ପରେ ବିଶ୍ୱର କିଛି ଅଞ୍ଚଳରେ ଗରମା ଗରମ ସ୍ଥିତି ସୃଷ୍ଟି ହେବ । ହିଂସା ବୃଦ୍ଧି ପାଇବ । ଏହି ବର୍ଷ ଗୁରୁଙ୍କ ପରିବର୍ତ୍ତନ ରାଜନୀତିରେ ବଡ ପରିବର୍ତ୍ତନର ସଙ୍କେତ ଦେଉଛି ।

ଏହି ସବୁ ଭିତରେ ନୂଆ ବର୍ଷରେ ଏଆଇର ନୂଆ ରୂପ ଦେଖିବାକୁ ମିଳିପାରେ । ଆସନ୍ତା ବର୍ଷ ଏଆଇ ଦ୍ରୁତ ବିସ୍ତାର ଲାଭ କରିବ । ଲୋକଙ୍କ ଦ୍ୱାରା ମଧ୍ୟ ଆଦୃତ ହେବ । ପ୍ରଶାସନିକ ସ୍ତରରେ ଏହାର ବ୍ୟବହାର ବଢିବ ।