ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ହନ୍ତସନ୍ତ, ଡାକ୍ତରଙ୍କ ପାଇଁ ଘରୋଇ ନର୍ସିଂ ହୋମ୍ ସାଜିଛି ରୋଜଗାର ମାଧ୍ୟମ

ବରୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ହନ୍ତସନ୍ତ । କେତେବେଳେ ଡାକ୍ତର ଆସୁନାହାଁନ୍ତି ତ ପୁଣି କେତେବେଳେ ଦେଖାଦେଉଛି ଜଳ ସମସ୍ୟା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଦିନକୁ ଦିନ ଅଭିଯୋଗର ଫର୍ଦ୍ଦ ଯୋଡ଼ି ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବା ଘଟଣା ଏବେ ସନ୍ଦେହ ସୃଷ୍ଟି କରିଛି ।

ଦୀର୍ଘ ଦିନ ହେବ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ ସମୟରେ ଡାକ୍ତର ଆସୁନଥିବାରୁ ଉତ୍ତମ ଚିକିତ୍ସାରୁ ରୋଗୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ କିଛି ଡାକ୍ତରମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନ ଆସି ଘରୋଇ ନର୍ସିଙ୍ଗହୋମରେ ରୋଗୀ ଦେଖି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଏପଟେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ ଆସି ମଧ୍ୟ ଦରମା ନେଉଥିବା ଜଣା ପଡ଼ିଛି । ଏହି ଅଭିଯୋଗକୁ ଭିତ୍ତି କରି ଖୋଦ୍ ଜିଲ୍ଲାପାଳ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ କିଛି ଡାକ୍ତର ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଅଧିକାରୀମାନଙ୍କୁ ତାଗିଦ ମଧ୍ୟ କରିଥିଲେ ।

ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହେଉଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କାହିଁକି ପ୍ରଶାସନ ଅନୁକମ୍ପା ଦେଖାଉଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ଏଠାରେ ନିଯୁକ୍ତି ପତ୍ରରେ ବଡ଼ଧରଣର ଅନିୟମିତତା ହୋଇଥିବାର ଅଭିଯୋଗ ଆଣି ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏଭଳି ସ୍ଥଳେ ଜିଲ୍ଲାପାଳ ଅସାଧୁ କର୍ତ୍ତୃପକ୍ଷଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।