ଭୂମିକମ୍ପରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼

ନୂଆଦିଲ୍ଲୀ: ଶନିବାର ସକାଳେ ନେପାଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ଼ କରାଯାଇଛି । ଭାରତୀୟ ସମୟାନୁସାରେ ଶନିବାର ସକାଳ ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି ।

ନେପାଳରେ ଭୂମିକମ୍ପ ସାଧାରଣ ଅଟେ । ନେପାଳ ଦୁନିଆର ସେହି ବିପଜ୍ଜନକ ଜୋନରେ ଅଛି ଯାହାକୁ ସବୁଠାରୁ ସକ୍ରିୟ ଟେକ୍ଟୋନିକ୍ ଜୋନ୍ କୁହାଯାଏ । ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ୟ୍ୟୟ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ଅଟେ । ନେପାଳରେ ସମୟ ସମୟରେ ପରିସ୍ଥିତି ବିଗିଡ଼ିଲେ ସତର୍କ ସୂଚନା ଜାରି କରାଯାଏ । ଗତ ବର୍ଷ ନଭେମ୍ବରରେ ଏକ ଭୟଙ୍କର ଭୂମିକମ୍ପ ନେପାଳରେ ଧ୍ୱଂସ ଘଟାଇଥିଲା । ଏହି ୬.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଅନେକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ଭୂମିକମ୍ପ ଯୋଗୁଁ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ । ଭୂମିକମ୍ପ ଯୋଗୁଁ ନେପାଳରେ ୮ ହଜାର ଘର ନଷ୍ଟ ହୋଇଯାଇଥିଲା ।