ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଧର୍ମଶାଳାର ଯୁବ ବିଧାୟକ, ଯାଜପୁର ବିକାଶ ପାଇଁ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ
ଯାଜପୁର: ଯାଜପୁର ଜିଲ୍ଲା ତଥା ଓଡ଼ିଶାର ବିକାଶ ପାଇଁ ଧର୍ମଶାଳାର ଯୁବ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରୟାସ । ଧର୍ମଶାଳା ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କିପରି ହେବ ଏନେଇ ଦେଶର ରାଜଧାନୀ ଦିଲ୍ଲୀ ଠାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିର ପୁନଉର୍ଦ୍ଧାର, ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁର୍ଣ୍ଣପ୍ରତିଷ୍ଠା, ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସହ ଯାଜପୁର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ ।
ଏହା ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଯାଜପୁର-କେନ୍ଦୁଝର ରୋଡ୍ ଠାରୁ ଧାମରା ପର୍ଯ୍ୟନ୍ତ ଏକ ନୂଆ ରେଳ ସଂଯୋଗ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ରେଳ ଲାଇନୁ ଶୀଘ୍ର ସଂଯୋଗ କରି କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଏବଂ ଯାଜପୁର ସାଂସଦ ରବିନାରାୟଣ ବେହେରା ଉପସ୍ଥିତ ରହିଥିଲେ । ଯାଜପୁରର ବିକାଶ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।