ଚାଷୀଙ୍କ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଆଶ୍ୱସ୍ତି, ୩ ଦିନରେ ଅଦିନିଆ ବର୍ଷ କ୍ଷୟକ୍ଷତିର ହେବ ଆକଳନ, ଏହି ଭାବେ ଦିଆଯିବ କ୍ଷତିପୂରଣ

ଭୁବନେଶ୍ୱର- ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟକୁ ନେଇ ଚାଷୀ ଚିନ୍ତାରେ । ଏତିକି ବେଳେ ଚାଷୀଙ୍କୁ ଆଶ୍ୱସ୍ତ କଲା ପରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ୩ ଦିନରେ ଆସିବ କ୍ଷୟକ୍ଷତିର ରିପୋର୍ଟ । ତା ପରେ ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ । ତେବେ ଏହି ଚାଷୀମାନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।

ସୋମବାର ଦିନ ରାଜସ୍ୱ ମନ୍ତ୍ରୀ ଅଦିନିଆ ବର୍ଷାରେ ହୋଇଥିବା ଫସଲ, ମୁଖତଃ ଧାନ ନଷ୍ଟ ଉପରେ ଦେଇଛନ୍ତି ବଡ ବୟାନ । ମନ୍ତ୍ରୀ କହିଛନ୍ତି ତିନି ଦିନ ଭିତରେ ଅଦିନିଆ ବର୍ଷାରେ ରାଜ୍ୟରେ ହୋଇଥିବା ଫସଲ କ୍ଷୟକ୍ଷତିର ରିପୋର୍ଟ ଆସିବ । ଏହି ସମୟ ଭିତରେ କ୍ଷତିର ଆକଳନ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ସେମାନେ କ୍ଷୟକ୍ଷତିର ଆକଳନ କରି ୩ ଦିନ ଭିତରେ ରିପୋର୍ଟ ଦାଖଲ କରିବେ । ଏହା ପରେ ରିପୋର୍ଟ ଆଧାରରେ ଚାଷୀଙ୍କୁ ସେମାନଙ୍କର ହୋଇଥିବା କ୍ଷତିର ଭରଣା କରିବେ ରାଜ୍ୟ ସରକାର ।

ତେବେ ମନ୍ତ୍ରୀ କହିଛନ୍ତି ଯେଉଁ ଚାଷୀଙ୍କର ଚାଫ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବ ସେମାନଙ୍କୁ ସମ୍ପୂର୍ଣ୍ଣ କ୍ଷତିର ଭରଣା କରାଯିବ । ଏହା ବ୍ୟତୀତ, ଆକଳନ ଅନୁଯାୟୀ ଅନ୍ୟ ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏଠାରେ କହି ରଖୁ କି, ଗତ ସପ୍ତାହରେ ଅଦିନିଆ ବର୍ଷା ୨ ଦିନ ଧରି ହୋଇଥିଲା । ଏହି ବର୍ଷା ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡିଶା ତଥା ମଧ୍ୟ ଓଡିଶାରେ ଦେଖିବାକୁ ମିଳିଥିଲା । ଏବେ ଚାଷୀର ଧାନ ପାକଳ ହେବା ସହ କିଛି ସ୍ଥାନରେ କଟା ଆରମ୍ଭ ହୋଇଛି । ଏପରି ସମୟରେ ବର୍ଷା କାରଣରୁ ବିଲରେ ପାଣି ମାଡିଯାଇଛି ଓ ଧାନ ଗଛସବୁ ପାଣିରେ ବୁଡି ରହିଥିବାର ରିପୋର୍ଟ ବିଭିନ୍ନ ସ୍ଥାନରୁ ଆସୁଛି ।

ଚାଷୀ ଧାର, କରଜ କରି ଚାଷ କରିଥିବା ବେଳେ ଠିକ ଅମଳ ସମୟରେ ବର୍ଷା ପାଇଁ ସେମାନଙ୍କ ଚାଷ ନଷ୍ଟ, ସେମାନଙ୍କୁ ଚିନ୍ତାରେ ପକାଇଦେଇଛି । କେମିତି ଧାର, କରଜ ସୁଝିବେ ସେହି ଚିନ୍ତାରେ ଚାଷୀ ।