ଭୁବନେଶ୍ୱର: ରାଜଧାନୀ ଉଠା ଦୋକାନୀଙ୍କ ବଡ଼ ଝଟକା । ରାଜଧାନୀ ରାସ୍ତା କଡ଼ରୁ ସମସ୍ତ ଉଠା ଦୋକାନୀମାନଙ୍କୁ ହଟାଯିବା ନେଇ ସମୂହ ସଫେଇ କାର୍ଯ୍ୟ ସମୟରେ ସୂଚନା ଦେଲେ ମେୟର ସୁଲୋଚନା ଦାସ । ପ୍ରାୟ ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀମାନଙ୍କୁ ହଟାଯାଇ ସେମାନଙ୍କୁ ଭେଣ୍ଡିଂ ଜୋନ୍ ଦିଆଯିବ ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ । ସେଥିପାଇଁ ରାଜଧାନୀର ରୂପରେଖା ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଆଜି ସକାଳେ ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ଥିବା ବିଭିନ୍ନ ଉଠା ଦୋକାନୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ମେୟର ସୁଲୋଚନା ଦାସ । ବିନା ରେଜିଷ୍ଟ୍ରେସନରେ ଦୋକାନୀ ମନ ଇଚ୍ଛା ବ୍ୟବସାୟ କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ମେୟର । ରାସ୍ତାକଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍ ଦିଆଯିବ । କେବଳ ରେଜିଷ୍ଟ୍ରେସନ୍ କରିଥିବା ଦୋକାନୀଙ୍କୁ ଏହି ସୁବିଧା ଦିଆଯିବ । ଏହା ବ୍ୟତୀତ ଦୋକାନ ଆଖପାଖ ସଫା ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମେୟର ।