ପ୍ରବାସୀ ଅତିଥିଙ୍କୁ ପରସାଯିବ ରାଜାଘର ଖାନା, ପାଟିରେ ବାଜିବ ଓଡ଼ିଆ ଛୁଙ୍କ…
ଓଡିଶା ହାଣ୍ଡିଶାଳର ସୁଆଦ ଚାଖିବେ ପ୍ରବାସୀ । ମୁଖ୍ୟ ଆକର୍ଷଣ ମଞ୍ଜା-ମାଣ୍ଡିଆ ସୁପ୍ ।
ଓଡିଶା ଭାସ୍କର: ଆରମ୍ଭ ହୋଇଯାଇଛି ପ୍ରବାସୀ ଭାରତୀୟ ସମ୍ମେଳନୀ । ବିଦେଶରେ ରହୁଥିବା ଭାରତୀୟ ଆଜି ଏକାଠି ହୋଇଛନ୍ତି ଓଡ଼ିଶାରେ । ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି ।
କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବାକୁ ଥିବାବେଳେ ଅତିଥିମାନଙ୍କ ଖାଦ୍ୟପେୟ ପାଇଁ ମଧ୍ୟ ସୁନ୍ଦର ବ୍ୟବସ୍ଥା କରାଯାଇଛି । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟଙ୍କ ପାଟିରେ ବାଜିବ ଓଡ଼ିଆ ଖାଦ୍ୟ ।
ଯେତେବେଳେ ଓଡ଼ିଆ ଖାଦ୍ୟକୁ ନେଇ ବିଦେଶରେ ଚର୍ଚ୍ଚା ହେଉଛି, ସେ ପରିସ୍ଥିତିରେ ଓଡ଼ିଆ ଖାଦ୍ୟ ପ୍ରବାସୀଙ୍କୁ ପସନ୍ଦ ଆସିବନାହିଁ ବୋଲି ପ୍ରଶ୍ନ ଉଠୁ ନାହିଁ ।
ବ୍ଲୁ ଲାଗୁନ ପକ୍ଷରୁ ଅତିଥିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଅତିଥିଙ୍କ ପାଇଁ ପରସାଯିବ । ମକଟେଲରୁ ମିଲ୍ ଆରମ୍ଭ କରାଯିବ । ଅତିଥିମାନଙ୍କୁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ଯେମିତି ସନ୍ତୁଳା, ମାଛ ବେସର ଓ ମଞ୍ଜା ମାଣ୍ଡିଆ ସୁପ୍ ଖାଇବାକୁ ଦିଆଯିବ ।
ଷ୍ଟାଟର: ଷ୍ଟାଟରରେ ପରସାଯିବ ଚିକେନ କବାବ୍, ଫ୍ରାଇଡ୍ ଫିସ୍, ଜାଫରାନି ପନିର ଟିକ୍କା, ମସରୁମ୍ ସଲ୍ଟ ପେପର । ଏଥିସହ କଦଳୀ ମଞ୍ଜା ମାଣ୍ଡିଆ ସୁପ୍, ଚିକେନ୍ ମାଇନଷ୍ଟ୍ରୋନ ସୁପ୍, ସାଙ୍ଗକୁ ଚିକେନ ଲଙ୍ଗ ଫଙ୍ଗ ସୁପ୍ ପ୍ରସ୍ତୁତ ହୋଇଛି ।
ମେନ୍ କୋର୍ସ: ଓଡ଼ିଆ ଖାଦ୍ୟ ସାଙ୍ଗକୁ ଉଭୟ ଭାରତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଓଡ଼ିଆଙ୍କ ଘରେ ଘରେ ତିଆରି ହେଉଥିବା ମାଛ ବେସର, ରାଜୱାଡି ଆଳୁ, ସନ୍ତୁଳା ମେନ୍ୟୁରେ ରହିଛି । ଏଥିସହ ଭାତ, ରୁଟି , ନାନ୍, ମିକ୍ସ ଭଜା, ପରିବା ଚିପ୍ସ, ଚିଙ୍ଗୁଡ଼ି ମଲାଇ, ପାଳଙ୍ଗଶାଗ ଡାଲି, ଭେଜିଟେବୁଲ ପଲାଉ, ବଟର ନାନ୍, ଲଚ୍ଛା ପରଟା, ମାଣ୍ଡିଆ ରୁଟି, ତନ୍ଦୁରି ରୁଟି, ଘୁଘୁନି, ଆଳୁଦମ୍, ଚକୁଳି ସାଙ୍ଗକୁ ଟମଟୋ ଖଜୂରି ଖଟା ମଧ୍ୟ ପ୍ରସ୍ତୁତ ହୋଇଛି ।
ନାନା ରକମର ପାଉଁରୁଟି: ଅତିଥିଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ରେଡ୍, ପ୍ରେସ୍ ବନ୍ସ, ଗାର୍ଲିକ ବ୍ରେଡ୍ ସଙ୍ଗକୁୂ ଏକାଧିକ ପ୍ରକାରର ସାଲାଡ୍ ବି ରହିଛି । ଏତେସବୁ ବ୍ୟବସ୍ଥା ଭିତରେ ଚା’ କଫି ସୁପ୍ ବାଦ୍ ପଡ଼ିବ କେମିତି!
ହାଇ-ଟି: ଏହି ମେନ୍ୟୁକୁ ସରଳ ରଖାଯାଇଛି, ଯେଉଁଥିରେ ଜୁସ୍, ଚା, କଫି, ମାଣ୍ଡିଆ ବିସ୍କୁଟ, ଭେଜିଜ୍ ସାଣ୍ଡୱିଚ୍, ଗାଜର କେକ୍, ଭେଜିଟେବୁଲ ନଗେଟ୍ ସହିତ ଶୁଖିଲା ମିଠା ପରସାଯିବ ।