ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ- ‘ମଣ୍ଡିକୁ ଭଲ ଧାନ ଆଣ, ୧୨ ଘଣ୍ଟା ଭିତରେ ମିଳିବ ଟଙ୍କା’

ମଣ୍ଡିକୁ ଭଲ ଧାନ ଆଣ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ; ମନ୍ତ୍ରୀ

ଭୁବନେଶ୍ଵର: ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି। କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି। ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି। FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, କିଛି ନେତା ଲୋକଙ୍କୁ ଜାଣିଶୁଣି ଉସୁକାଉଛନ୍ତି। ଭଲ ଧାନ ଆଣିଲେ ୨୪ ଘଣ୍ଟା ନୁହେଁ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ। କିନ୍ତୁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର। ଧାନ ଅତି ଖରାପ ହୋଇଥିଲେ ସଂଗ୍ରହ କରାଯିବ ନାହିଁ। ଏହି ଖରାପ ଧାନ ମାକେର୍ଟରେ ଚାଲିବ ନାହିଁ। ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନ କ୍ଷେତ୍ରରେ ସରକାର କ୍ଷତିପୂରଣ ଦେଉଛନ୍ତି। ଟଙ୍କା ଦିଆଯିବା ପରେ କ୍ଷତିଗ୍ରସ୍ତ ଚାଉଳକୁ ସରକାର କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୩ ଲକ୍ଷ ମେଟ୍ରିକ ଧାନ କିଣା ସରିଛି। କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ। ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।