ମୋଦିଙ୍କ ଅକୁହା କଥା: ମୋ ଜୀବନରେ ‘ତୁ’ କହିବାକୁ କେହି ନାହାନ୍ତି…. ମୁଁ ବନ୍ଧୁ ଖୋଜୁଥିଲି କିନ୍ତୁ ସେମାନଙ୍କ ନଜରରେ ମୁଁ ମୁଖ୍ୟମନ୍ତ୍ରୀ ଥିଲି…

ନିଜ ପ୍ରଥମ ପୋଡକାଷ୍ଟରେ ମନର ବେଦନା ବଖାଣିଲେ ପ୍ରଧାନମନ୍ତ୍ରୀ । କହିଲେ ମୁଁ ଦେବତା ନୁହେଁ ମଣିଷ, ମୋର ବି ଭୁଲ୍ ହୁଏ ।

ନୂଆଦିଲ୍ଲୀ: ଉଭୟ ଭାରତୀୟ ଏବଂ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତକାର ଦେବା ପରେ ପୋଡକାଷ୍ଟ ଜଗତକୁ ପ୍ରବେଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରବପତୀ ତଥା ଜୋରଧା ସହସଂସ୍ଥାପକ ନିଖିଲ କାମଥଙ୍କ ପୋଡକାଷ୍ଟରେ ସାମିଲ ହୋଇଛନ୍ତି ମୋଦି । ପୋଡକାଷ୍ଟବେଳେ ନିଖିଲ ମୋଦିଙ୍କୁ କହିଥିଲେ, ମୁଁ ଆପଣଙ୍କ ସାମ୍ନାରେ ବସିଛି ଆଉ ଆପଣଙ୍କ ଇଣ୍ଟରଭ୍ୟୁ ନେଉଛି, ଯାହାପାଇଁ ମୁଁ ଭିତରେ ଭିତରେ ନର୍ଭସ ହୋଇଯାଉଛି ।

ଯାହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ମୋର ପ୍ରଥମ ପୋଡକାଷ୍ଟ । ମୁଁ ଜାଣିନି ଏହା ଆପଣଙ୍କ ଦର୍ଶନକଙ୍କୁ ପସନ୍ଦ ଆସିବ କି ନାହିଁ! ପୋଡକାଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ନିଜ ରାଜନୈତିକ ଜୀବନର କିଛି ଅକୁହା କଥା କହିଛନ୍ତି ।
ଗୁଜରାତର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ମୋଦି କହିଥିଲେ, ମୁଁ କଠିନ ପରିଶ୍ରମରୁ ପଛକୁ ହଟିବି ନାହିଁ । ମୁଁ ମଣିଷ ଭୁଲ୍ କରିବି । କିନ୍ତୁ ମୁଁ ଖରାପ ଉଦ୍ଦେଶ୍ୟ ରଖି କୌଣସି କାମ କରିବି ନାହିଁ । ମୁଁ ଜଣେ ମଣିଷ, ଭଗବାନ ନୁହେଁ ।

ସେ ଆଉ ମଧ୍ୟ କହିଛନ୍ତି, ଗାନ୍ଧି ଓ ସାବରକରଙ୍କ ରାସ୍ତା ଅଲଗା ଥିଲା । କିନ୍ତୁ ସେମାନଙ୍କ ବିଚାରଧାରା ଥିଲା ସ୍ୱତନ୍ତ୍ରତା । ବିଚାରଧାରା ବିନା ରାଜନୀତି ଅସମ୍ଭବ । ସବୁବେଳେ ରାଷ୍ଟ୍ରକୁ ସବୁଠୁ ଆଗରେ ରଖିବା ଜରୁରୀ ।
ମୋର ବିଚାରଧାରା ନେଶନ ଫାଷ୍ଟ । ଯାହାକୁ ବାନ୍ଧିବା ବିଚାରଧାରା ଓ ପରମ୍ପରା ରୂପକ ଜଞ୍ଜିର ପକ୍ଷେ ସମ୍ଭବ ନୁହେଁ । ମୁଁ ପୁରୁଣା ଜିନିଷ ଛାଡ଼ି ନୂଆ ଜିନିଷ ଗ୍ରହଣ କରିବାକୁ ସବୁବେଳେ ପ୍ରସ୍ତୁତ ।

ଛୋଟବେଳୁ ମୋଦି ଘରଦ୍ୱାର, ସାଙ୍ଗସାଥୀ ସବୁ ଛାଡ଼ି ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ସାଙ୍ଗସାଥୀଙ୍କ କଥା ମନେପଡ଼ିଥିଲା । ଦିନେ ପିଲାବେଳର ସବୁ ବନ୍ଧୁଙ୍କୁ ଡକେଇ ଖାଦ୍ୟପେୟର ଆୟୋଜନ କରିଥିଲେ ମୋଦି । କିନ୍ତୁ ସେ ସମୟରେ ମୋଦି ବନ୍ଧୁର ମଜା ଖୋଜୁଥିବାବେଳେ ଅତିଥି ଭାବେ ଆସିଥିବା ପିଲାବେଳର ସାଙ୍କଗ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନଜରରେ ଦେଖୁଥିଲେ । ସାଙ୍ଗମାନେ ଏବେ ବି ସମ୍ପର୍କରେ ଅଛନ୍ତି କିନ୍ତୁ ମୋତେ କେହି ତୁ କରିବାକୁ ନାହାନ୍ତି ବୋଲି ସେ କହିଛନ୍ତି ।

ରାଜନୀତିକୁ ଆସୁଥିବା ଯୁବପିଢ଼ି ଲୋକଙ୍କ ଦୁଃଖ ସୁଖ ବୁଝିବା ଦରକାର । ସେମାନଙ୍କ ପାଖରେ ଟିମ୍ ପ୍ଲେୟର କ୍ୱାଲିଟି ରହିବା ଆବଶ୍ୟକ । ଦେଶର ରାଜନୀତି କ୍ଷେତ୍ରରେ ବର୍ତ୍ତମାନ ସମୟ ପାଇଁ ଲକ୍ଷେ ଯୁବକଙ୍କ ଆବଶ୍ୟକତା ରହିଛି ।
ଯେଉଁମାନେ ନେବା, ପାଇବା ଉଦ୍ଦେଶ୍ୟ ରଖି ରାଜନୀତି କରୁଛନ୍ତି ସେମାନେ ଏ କ୍ଷେତ୍ରରେ ବେଶୀଦିନ ତିଷ୍ଟି ପାରିବେ ନାହିଁ ବୋଲିି ମୋଦି କହିଛନ୍ତି ।