ପ୍ରେମ ବିବାହର ୧୦ ଦିନ ପରେ ସ୍ୱାମୀ ହାରିଲା ପ୍ରାଣ, ବନ୍ଦ କୋଠରୀରୁ ମିଳିଲା ଶବ
ପ୍ରେମ ବିବାହର ୧୦ ଦିନ ପରେ ସ୍ୱାମୀ ପ୍ରାଣ ହାରିବା ମାମଲା ସାମ୍ନାକୁ ଆସିଛି।
ନୂଆଦିଲ୍ଲୀ: ବିହାରର ମୁଜ୍ଜଫରପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ବିବାହର ମାତ୍ର ୧୦ ଦିନ ପରେ ଯୁବକ ଜଣକ ଫାଶୀ ଦେଇ ପ୍ରାଣ ହାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ପ୍ରେମ ବିବାହ କରିଛନ୍ତି। ତେବେ ଏକ ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ମିଳିଛି।
କ’ଣ ରହିଛି ମାମଲା: ମୃତ ଯୁବକଙ୍କ ଶାଶୁଙ୍କ କହିବାନୁଯାୟୀ, ଏହି ଦୁଇଜଣଙ୍କ ବିବାହ ଲାଗି ଉଭୟ ପରିବାର ରାଜି ହୋଇଯାଇଥିଲେ। ଯୁବକଙ୍କର ଏକ ଜଳଖିଆ ଦୋକାନ ଥିଲା। ଏହି ଦୋକାନରେ ତାଙ୍କ ଝିଅ ବି ତାଙ୍କୁ ସାହାଯ୍ୟ କରୁଥିଲା। ହେଲେ ଏମାନଙ୍କ ମଧ୍ୟରେ କେଉଁ ଝଗଡ଼ା ଲାଗିଲା, ଯେଉଁଥିରେ ସେ ଗୁରୁବାର ରାତିରେ ଫାଶୀ ଦେଇ ପ୍ରାଣ ହାରିଥିଲେ।
ଝିଅର ଭଉଣୀ: ଝିଅର ଭଉଣୀ କହିଛି ଯେ, ଆମେ ଆମ ଭଉଣୀ ଘରକୁ ବୁଲିବାକୁ ଆସିଥିଲୁ। ଏଠାରେ ସକାଳ ୯ଟା ସୁଦ୍ଧା ଆମ ଭଉଣୀ କହିଥିଲା ଯେ, ତୁମ ଭିଣୋଇ ଘର ଭିତର ପଟୁ ଲକ୍ କରିଦେଇଛନ୍ତି ଏବଂ ଡାକିଲାରୁ ଶୁଣୁ ନାହାନ୍ତି। ଯେବେ ଆମେ ଝରକା ପାଖେ ଦେଖିଲୁ ସେ ଫାଶୀ ଲଗାଇ ଝୁଲି ପଡିଛନ୍ତି।
ଏହାପରେ ପୋଲିସକୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଡକାଯାଇଥିଲା। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। ଏଥିସହ ତଦନ୍ତ ଚଳାଇଛି ପୋଲିସ ଟିମ୍।