ବେସନ ପାଣି ଗ୍ଲୁକୋଜ୍ ଦେଇ ଚାଷ କରୁଛନ୍ତି ହରିହର, Youtube ଶିଖାଇଛି ଜୈବିକ ଫସଲ
ହରିହରଙ୍କ ବାଡ଼ିରୁ ଫଳୁଥିବା ଫସଲର ଅଧିକ ସୁଆଦ । ଫସଲରୁ ଦିନକୁ ଉପାର୍ଜନ କରୁଛନ୍ତି ୫୦୦ରୁ ୬୦୦ ଟଙ୍କା ।
ଚାନ୍ଦବାଲି: ଜୈବିକ ପଦ୍ଧତିରେ ହେଉଥିବା ପନିପରିବା ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ । ଯେଉଁକାରଣରୁ ଲୋକେ ନିଜ ବାଡ଼ିରେ ଫସଲ କରିବା ଆରମ୍ଭ କରିଛନ୍ତି । ଏହିପରି ଭାବେ ମାତ୍ର ୧୪ ଡିସିମିଲି ଜାଗାରେ ଜୈବିକ ଫସଲ କରି ଚର୍ଚ୍ଚାକୁ ଆସିଛନ୍ତି ହରିହର ବେହେରା ।
ଭଦ୍ରକ ଚାନ୍ଦବାଲି ବିଜୟନଗର ଗାଁରେ ହରିହରଙ୍କ ଘର । ଅଳ୍ପ ଜାଗାରେ ଜୈବିକ ଫସଲ କରି ଦିନକୁ ଉପାର୍ଜନ କରୁଛନ୍ତି ୫୦୦ରୁ ୬୦୦ ଟଙ୍କା । ବଜାରରେ ମିଳୁଥିବା ସାରଦିଆ ପରିବା,ଫଳ ଅପେକ୍ଷା ହରିହରଙ୍କ ବାଡ଼ିରୁ ଫଳୁଥିବା ଫସଲର ଅଧିକ ସୁଆଦ ।
ବ୍ୟବହାର ହେଉଛି ପଚା କଦଳୀ: ନିଜେ ଖାଇବା ସହ ପାଖ ପଡ଼ୋଶୀଙ୍କୁ ମଧ୍ୟ ପରିବା ବିକୁଛନ୍ତି ହରିହର । ଫସଲରେ ଗ୍ଲୁକୋଜ୍ ପାଣି ଦେବା ସହ ବେସନ, ପଚା କଦଳୀ, ବିଭିନ୍ନ ଗଛର ପତ୍ର ମିଶେଇ ପ୍ରସ୍ତୁତ କରୁଛନ୍ତି ଖତ । ଯାହାକୁ ଗଛ ମୂଳରେ ଦେବା ଫଳରେ ଫସଲ ଛନଛନିଆ ହୋଇ ବଢ଼ିବା ସହ ଭଲ ଫଳ ମଧ୍ୟ ହେଉଛି । କୀଟନାଶକ ପାଇଁ ନିମ୍ବପତ୍ର କଲରା ପତ୍ର ଇତ୍ୟାଦିର ଏକ ପାଣି ମିଶ୍ରଣ ପ୍ରସ୍ତୁତ କରି ତାକୁ ଗଛରେ ଛିଞ୍ଚୁଛନ୍ତି ହରିହର ।
ଫସଲ କାମରେ ହରିହରଙ୍କୁ ତାଙ୍କ ସ୍ତ୍ରୀ ଦେବକୀ ସାହାଯ୍ୟ କରନ୍ତି । ଦୁହେଁ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ବାଡ଼ିରେ ଫସଲ ଦେଖାରଖା କରନ୍ତି । ଜୈବିକ ପଦ୍ଧତିରେ କିପରି ଭାବେ ଚାଷ କରାଯାଏ ସେ ସବୁ ହରିହରି ୟୁଟ୍ୟୁବ୍ ଦେଖି ଶିଖିଛନ୍ତି ବୋଲି କୁହନ୍ତି । ଆଗକୁୂ ମଧ୍ୟ ଜୈବିକ ପଦ୍ଧତିରେ ଚାଷ ଜାରି ରଖିବେ ବୋଲି କହିଛନ୍ତି ହରିହର ଓ ଦେବକୀ ।