ଯାହା ତୁମେ ଚିନ୍ତା କରୁଛ, ତାହା ତୁମେ ହୋଇଯିବ… ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀରେ ଜାଣନ୍ତୁ ମହାପୁରୁଷଙ୍କ ବିଷୟରେ କିଛି

୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗୁରୁ ଥିଲେ ରାମକୃଷ୍ଣ ପରମହଂସ ।

ଓଡ଼ିଶା ଭାସ୍କର: ଯୁବପିଢ଼ିଙ୍କ ମଧ୍ୟରେ ପ୍ରେରଣା ଭରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ହିଁ ସାରା ଦେଶରେ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଏ । ଏଅବସରରେ ପ୍ରତିବର୍ଷ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଯୁବ ମହୋତ୍ସବର ଆୟୋଜନ କରନ୍ତି ।

ଚଳିତ ବର୍ଷ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ପାଳନ କରାଯାଉଛି । ବିବେକାବନ୍ଦଙ୍କ ମତରେ ପ୍ରତ୍ୟେକ ଯୁବ ଜାଗୃତ ଏବଂ ସେମାନେ ନିଜ ନିଜ ଉଦ୍ଦେଶ୍ୟ ପ୍ରତି ସପର୍ମିତ ହେବା ଅତ୍ୟନ୍ତ ଆବଶ୍ୟକ । ଯାହା ସାହାଯ୍ୟରେ ସେମାନେ ଯେକୌଣସି ଲକ୍ଷ୍ୟ ହାସଲ କରିପାରିବେ । ସଫଳତା ପାଇଁ ଯୁବପିଢ଼ିଙ୍କୁ ନିଜର ସମର୍ପଣଭାବ ବଢ଼ାଇବାକୁ ପଡ଼ିବ । ଆଧ୍ୟାତ୍ମିକ ବଳ ସାଙ୍ଗକୁ ଶରୀରିକ ବଳ ବୃଦ୍ଧି କରିବାକୁ ବିବେକାନନ୍ଦ ସବୁବେଳେ କହୁଥିଲେ ।

ନିଜକୁ ନିଜେ ହିଁ ବଦଳେଇପାରିବ:ଦାର୍ଶନିକ ତଥା ଆଧ୍ୟାତ୍ମିକ ନେତା ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରା ଥିଲା ସମ୍ପୂର୍ଣ୍ଣ ଭିନ୍ନ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ । ବାପ ମା’ ତାଙ୍କ ନାମ ଦେଇଥିଲେ ନରେନ୍ଦ୍ର ନାଥ ଦତ୍ତ । କିନ୍ତୁ ସମୟଚକ୍ରରେ ତାଙ୍କ ନାଁ ବଦଳିଯାଇ ବିବେକାନନ୍ଦ ହୋଇଥିଲା । ତାଙ୍କ ଗୁରୁ ଥିଲେ ରାମକୃଷ୍ଣ ପରମହଂସ ।

ବିବେକାନନ୍ଦଙ୍କର ବେଦାନ୍ତ ଏବଂ ଯୋଗର ପ୍ରସାର କ୍ଷେତ୍ରରେ ବଡ଼ ଭୂମିକା ରହିଥିବାବେଳେ ଜାତିବାଦ, ରାଷ୍ଟ୍ରବାଦ, ଧର୍ମନିରପେକ୍ଷତା, ଗୀତା ଦର୍ଶନ କ୍ଷେତ୍ରରେ ମଧ୍ୟ ଏହି ମହାପୁରୁଷଙ୍କ ଯୋଗଦାନ କିଛି କମ୍ ନୁହେଁ ।

ସେ କୁହନ୍ତି, ଗୋଟିଏ ସମୟରେ ଗୋଟିଏ ହିଁ କାମ କର, କାମ କରିବା ସମୟରେ ନିଜର ସମ୍ପୂର୍ଣ୍ଣ ଆତ୍ମା ସେ କାମରେ ଲଗେଇଦିଅ, ଆଉ ସବୁକିଛି ସେ ମୁହୂର୍ତ୍ତ ପାଇଁ ଭୁଲିଯାଅ । ତୁମକୁ କେହି ପଢ଼େଇପାରିବେ ନାହିଁ କି ଆଧ୍ୟାତ୍ମିକ କରିପାରିବେ ନାହିଁ ଯାହା କରିବ ତୁମେ ନିଜେ ହିଁ କରିବ ।

୧୯୮୪ ମସିହାରେ ଭାରତ ସରକାର ବିବେକନନ୍ଦଙ୍କ ଜୟନ୍ତୀକୁ ନ୍ୟାଶନାଲ ୟୁଥ୍ ଡେ ଭାବେ ଘୋଷଣା କରିଥିଲା । ସେବେଠାରୁ ଦେଶରେ ଜାତୀୟ ଯୁବ ଦିବସ ପାଳନ କରାଯାଉଛି ।