କୁମ୍ଭମେଳାରେ ଏବେ ବି ହଜୁଛନ୍ତି ପିଲା, ବୃଦ୍ଧ ଏବଂ ଭକ୍ତ, ଆଜି ହଜିଲେ ୨୫୦
ମଳାକୁ ହେବ ୪୫ କୋଟି ଲୋକଙ୍କ ସମାଗମ । ବ୍ୟାପକ ବ୍ୟବସ୍ଥା ସାଙ୍ଗକୁ ଫେବୃୟାରୀ ୨୬ ପର୍ଯନ୍ତ ଚାଲିବ ମେଳା ।
ପ୍ରୟାଗରାଜ: ସିନେମା କାହାଣୀ ସଦୃଶ । ୯୦ ଦଶକ ଫିଲ୍ମରେ ଯେଉଁଭଳି ଭାବେ ନାୟକ ନାୟିକା କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମେଳାରେ ହଜିଯାଆନ୍ତି । ଆଉ ସିନେମା ସରିଆସିଲାବେଳକୁ ସେ ନିଜ ପରିବାରକୁ ପାଆନ୍ତି ଠିକ୍ ସେମିତି କିଛି ସ୍ଥିତି ଦେଖିବାକୁ ମିଳିଛି ପ୍ରୟାଗରାଜର କୁମ୍ଭମେଳାରେ ।
ପୌଷ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଛି କୁମ୍ଭମେଳା । ପାଖାପାଖି ୧.୫ କୋଟି ଲୋକ ଆଜି ଅମୃତ ସ୍ନାନ କରିଛନ୍ତି । ଏ ଅବସରରେ ଦେଶର କୋଣ ଅନୁକୋଣରୁ ଭକ୍ତ ପରିବାର ସହ ସଙ୍ଗମକ୍ଷେତ୍ର ପ୍ରୟାଜଗରାଜ ମହାସ୍ନାନ ପାଇଁ ଆସିଛନ୍ତି । ଏହି ବିଶାଳ ମେଳାର ପ୍ରଥମ ଦିନରେ ହିଁ ୨୫୦ ଜଣ ଭକ୍ତ ହଜିଯାଇଛନ୍ତି ।
ହେଲେ ଫିଲ୍ମ କାହାଣୀ ପରି ହଜିବା ଲୋକ ନିଜ ପରିବାରଠାରୁ ବର୍ଷ ବର୍ଷ ପର୍ଯ୍ୟନ୍ତ ଦୂରରେ ରହିବାକୁ ପଡ଼ିନାହିଁ । ମେଳାରେ ହଜିଥିବା ୨୫୦ ଲୋକ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ଆଜି ହିଁ ଫେରିଆସିଛନ୍ତି ।
ଏହା ସମ୍ଭବପର ହୋଇଛି ଉଚିତ୍ ବ୍ୟବସ୍ଥା ପାଇଁ । ମେଳାରେ କୋଟି କୋଟି ଲୋକଙ୍କ ସମାଗମ ହେବାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ହଜିବା ଲୋକଙ୍କ ପାଇଁ ମେଳାରେ ‘ଭୁଲା ଭଟକା’ କ୍ୟାମ୍ପ ଖୋଲାଯାଇଛି ।
ଯେଉଁଠାରେ ପରିବାରଠାରୁ ଅଲଗା ହୋଇଯାଇଥିବା ବ୍ୟକ୍ତି ଆଶ୍ରୟ ନେବେ । ଏହାଛଡ଼ା ଛୋଟପିଲା ଓ ମହିଳାଙ୍କ ପାଇଁ ‘ଖୋୟା ପାୟା’ କ୍ୟାମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କ୍ୟାମ୍ପରେ ଲାଉଡ୍ ସ୍ପିକର ସାଙ୍ଗକୁ ପୋଲିସ ଅଧିକାରୀ ମୁତୟନ କରାଯାଇଛି ।
୧୨ ବର୍ଷର ବ୍ରେକ୍ ପରେ ଚଳିତବର୍ଷ କୁମ୍ଭମେଳା ଅନୁଷ୍ଠିତ ହୋଇଛିି । ମେଳାରେ ୪୦ କୋଟିରୁ ୪୫ କୋଟି ଲୋକ ଯୋଗଦେବାକୁ ଥିବା କୁହାଯାଉଛି । ଆଜିଠୁ ଆରମ୍ଭ ହୋଇଥିବା କୁମ୍ଭମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ।