ହାରିଲା କ୍ୟାନ୍ସର: ଯାଜପୁରରେ ଖୁବଶୀଘ୍ର କ୍ୟାନ୍ସର ସେଣ୍ଟର, ସ୍ତ୍ରୀ ସୁସ୍ଥ ହେଲେ ବୋଲି ଦାନ କଲେ ୨ କୋଟି

୪ ମାସର ଚିକିତ୍ସାରେ ଗୀତାଞ୍ଜଳୀ ସମ୍ପୂର୍ଣ୍ଣ ସୁସ୍ଥ ହେଲେ । ଏପ୍ରିଲରେ କ୍ୟାନ୍ସର ସେଣ୍ଟର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

କୋରେଇ: କ୍ୟାନ୍ସରକୁ ମାତ୍ ଦେଇ ସୁସ୍ଥ ହେବା ପରେ ବୃଦ୍ଧ ଦମ୍ପତି ନେଇଛନ୍ତି ବଡ଼ ନିଷ୍ପତ୍ତି । ଯାଜପୁରର ବ୍ୟବସାୟୀ ରବୀନ୍ଦ୍ର କୁମାର ନନ୍ଦ (୭୦) ଦାନ କରିଛନ୍ତି ୨ କୋଟିର ସମ୍ପତ୍ତି । ଯେଉଁଥିରେ ନିର୍ମାଣ ହେବ ଶ୍ରୀଶଙ୍କର ବାଗଚୀ କ୍ୟାନ୍ସର ସେଣ୍ଟର ।

କମ୍ ମୂଲ୍ୟରେ ଭଲ ଚିକିତ୍ସା ମିଳିବା ପରେ ପ୍ରଭାବିତ ହୋଇ ରବୀନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି । କୋରେଇ ବ୍ଲକ୍ ଛୋଟରାୟପୁର ମେନ୍ ରୋଡ୍ କଡ଼ରେ ଥିବା ଗୀତା ମଣ୍ଡପରେ ଶ୍ରୀଶଙ୍କର-ବାଗଚୀ କ୍ୟାନ୍ସର ରିସର୍ଚ୍ଚ ସେଣ୍ଟରର ଏକ ଶାଖା ଖୋଲାଯିବ ।

ମୁଖ୍ୟମନ୍ତ୍ରୀ କରିବେ ଉଦ୍ଘାଟନ : ରବୀନ୍ଦ୍ରଙ୍କ ସ୍ତ୍ରୀ ଗୀତାଞ୍ଜଳୀ ୨ ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ଉଭୟ ଓଡ଼ିଶା ଏବଂ ବାହାର ରାଜ୍ୟରେ ଗୀତାଞ୍ଜଳୀଙ୍କ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଗତବର୍ଷ ମାର୍ଚ୍ଚରେ ରବୀନ୍ଦ୍ର ଗୀତାଞ୍ଜଳୀଙ୍କୁ ଶ୍ରୀଶଙ୍କର କ୍ୟାନ୍ସର ସେଣ୍ଟର ନେଇ ଚିକିତ୍ସା କରିଥିଲେ । ୪ ମାସର ଚିକିତ୍ସା ପରେ ଗୀତାଞ୍ଜଳୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ।

ଲୋକ ହେବେ ଉପକୃତ : ଏଥିରେ ଖୁସି ହୋଇ ରବୀନ୍ଦ୍ର, ନିଜ ଅଞ୍ଚଳରେ କ୍ୟାନ୍ସର ସେଣ୍ଟର ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ । ଯେଉଁଥିରେ କର୍ତ୍ତୃପକ୍ଷ ରାଜି ହୋଇ ତାଙ୍କ ପ୍ରସ୍ଥାବକୁ ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲରେ ଏହି କ୍ୟାନ୍ସର ସେଣ୍ଟରର ଉଦ୍ଘାଟନୀ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରବୀନ୍ଦ୍ରଙ୍କ ୪ ଝିଅଙ୍କୁ ନେଇ ତାଙ୍କ ପରିବାର । ଝିଅମାନଙ୍କ ବାହାଘର ପରେ ସେମାନେ ଏକୁଟିଆ ରହୁଛନ୍ତି । ୧୦୧୭ରେ ରବୀନ୍ଦ୍ର ଛୋଟରାୟପୁର ମୌଜାରେ ଗୀତା ମଣ୍ଡପ ନାମରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କରିଥିଲେ । କ୍ୟାନ୍ସର ସେଣ୍ଟର ନିର୍ମାଣ ଦ୍ୱାରା ଉଭୟ ଯାଜପୁର, ଭଦ୍ରକ ଏବଂ ଆଖପାଖ ଅଞ୍ଚଳର ଲୋକ ଲାଭବାନ ହେବେ ବୋଲି ରବିନ୍ଦ୍ରଙ୍କ ଆଶା ।