PhD ନିୟମ ଉଲ୍ଲଂଘନ କରୁଥିବା ବିଶ୍ୱବିଦ୍ୟାଳୟ ବିରୋଧରେ ଆକ୍ସନ: ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ UGC ଲଗାଇଲା ୫ ବର୍ଷର ବ୍ୟାନ୍

ଚୁରୁର ଓପିଜେଏସ ବିଶ୍ୱବିଦ୍ୟାଳୟ, ଅଲୱରର ସନରାଇଜ୍ ବିଶ୍ୱବିଦ୍ୟାଳୟ ଏବଂ ଝୁନଝୁନୁର ସିଂହାନିଆ ବିଶ୍ୱବିଦ୍ୟାଳୟକୁ ପାଞ୍ଚ ବର୍ଷ ପାଇଁ ବ୍ୟାନ୍ କରିଛି ୟୁଜିସି । ଏଠାରେ ପିଏଚଡି ଛାତ୍ରଙ୍କ ଆଡମିଶନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆଦିଲ୍ଲୀ: ପିଏଚଡି ନିୟମ ଉଲ୍ଲଂଘନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜସ୍ଥାନର ତିନୋଟି ବିଶ୍ୱବିଦ୍ୟାଳୟ ଉପରେ ୟୁଜିସି ପାଞ୍ଚ ବର୍ଷର ପ୍ରତିବନ୍ଧକ ଲଗାଇଛି ।

ଏବେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପିଏଚଡି ପ୍ରୋଗ୍ରାମରେ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ କରାଇ ପାରିବେ ନାହିଁ । ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବ୍ୟାନ୍ କରାଯାଇଛି ସେଗୁଡ଼ିକ ମଧ୍ୟରେ ଚୁରୁର ଓପିଜେଏସ ବିଶ୍ୱବିଦ୍ୟାଳୟ, ଅଲୱରର ସନରାଇଜ୍ ବିଶ୍ୱବିଦ୍ୟାଳୟ ଏବଂ ଝୁନଝୁନୁର ସିଂହାନିଆ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ ।

ୟୁଜିସି କହିଛି ଯେ, ଏହି ତିନୋଟି ବିଶ୍ୱବିଦ୍ୟାଳୟ ପିଏଚଡି ନିୟମ ଉଲ୍ଲଂଘନ କରୁଥିଲେ । ୟୁଜିସି ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚଡି ନିୟମ ଯାଞ୍ଚ କରିବା ପାଇଁ ଏକ ସ୍ଥାୟୀ କମିଟି ଗଠନ କରାଯାଇଥିଲା ।

ଏହି କମିଟି ଜାଣିପାରିଲା ଯେ ଏହି ତିନୋଟି ବିଶ୍ୱବିଦ୍ୟାଳୟ ନିୟମ ପାଳନ କରୁନାହାଁନ୍ତି, ଯାହା ପରେ ସେମାନଙ୍କୁ ନୋଟିସ୍ ଜାରି କରାଯାଇଥିଲା । ସନ୍ତୋଷଜନକ ଉତ୍ତର ଦିଆଯାଇ ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।