ଆରେଷ୍ଟ ୱାରେଣ୍ଟକୁ ମଞ୍ଜୁର କଲେ କୋର୍ଟ, ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି
ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ ୟୋଲ ଡିସେମ୍ବର ୩ରେ ଦେଶରେ ସାମରିକ ଆଇନ ଘୋଷଣା କରିଥିଲେ । କିନ୍ତୁ ଦକ୍ଷିଣ କୋରିଆ ସଂସଦ ତାଙ୍କ ପ୍ରୟାସକୁ ବିଫଳ କରିଦେଇଛି ।
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍-ସୁକ ୟୋଲଙ୍କୁ ରବିବାର ପ୍ରତ୍ୟୁଷରେ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଥିଲା । ସିଓଲ ପଶ୍ଚିମ ଜିଲ୍ଲା କୋର୍ଟ ତାଙ୍କ ଗିରଫଦାରୀ ୱାରେଣ୍ଟକୁ ମଞ୍ଜୁର କରିଛନ୍ତି ।
ତେବେ ୟୁନ୍-ସୁକ ୟୋଲ ଗତ ମାସରେ ଦେଶରେ ସାମରିକ ଆଇନ ଲାଗୁ କରିଥିଲେ । ତାଙ୍କ ପ୍ରୟାସ ଅଳ୍ପ ସମୟ ମଧ୍ୟରେ ବିଫଳ ହେଲା ଓ ଏହାପରେ ତାଙ୍କ ଉପରେ ମହାଭିଯୋଗ ଲାଗଯାଇଥିଲା । କିଛି ଦିନ ପୂର୍ବରୁ ତାଙ୍କୁ ସିଓଲ ସ୍ଥିତ ରାଷ୍ଟ୍ରପତି ଭବନରୁ ହେପାଜତକୁ ନିଆଯାଇଥିଲା ।
ଗତ ବୁଧବାର ଦିନ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରି ୟୁନ୍ ସୁକ୍ ୟୋଲ୍ଙ୍କୁ ତାଙ୍କ ଘରୁ ହେପାଜତକୁ ନିଆଯାଇଥିଲା । ଏହା ପରେ ତାଙ୍କ ଆଇନଗତ ଦଳ ତାଙ୍କ ମୁକ୍ତି ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶନିବାର ଦିନ କୋର୍ଟରେ ଏହି ବିଷୟରେ ଏକ ଲମ୍ବା ବିତର୍କ ହୋଇଥିଲା। ଶେଷରେ ପ୍ରମାଣ ନଷ୍ଟ ହେବାର ସମ୍ଭାବ୍ୟ କାରଣ ଯୋଗୁଁ କୋର୍ଟ ୟୁନ୍ଙ୍କୁ ମୁକ୍ତ କରିବାକୁ ମନା କରିଦେଲେ ଏବଂ ତାଙ୍କ ଆରେଷ୍ଟ ୱାରେଣ୍ଟକୁ ମଞ୍ଜୁର କଲେ।