ଆଜିକାଲି ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ଆମେ ସାରା ଦିନ ଫୋନରେ କିଛି ନା କିଛି କରୁ । ରାତିରେ ଶୋଇବା ପୂର୍ବରୁ ମଧ୍ୟ ଅନେକ ଲୋକ ଫୋନ୍ ବ୍ୟବହାର କରନ୍ତି । ସୋସିଆଲ ମିଡିଆ, ଇମେଲ୍ କିମ୍ବା ଭିଡିଓ ଦେଖିବା, ଏସବୁ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଗଲାଣି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଅନ୍ଧାରରେ ଫୋନ୍ ବ୍ୟବହାର କରିବା ଆମ ଆଖିକୁ କ୍ଷତି ପହଞ୍ଚାଇପାରେ? ଆସନ୍ତୁ ଜାଣିବା….
ଫୋନ୍ ଏବଂ କମ୍ପ୍ୟୁଟରରୁ ନିର୍ଗତ ନୀଳ ଆଲୋକ ଆମ ଆଖି ପାଇଁ ବହୁତ କ୍ଷତିକାରକ । ଏହି ଆଲୋକ ଆମ ଆଖିକୁ କ୍ଷତି ପହଞ୍ଚାଏ ଏବଂ ଏହି କାରଣରୁ ଆମର ଆଖି ଥକିଯାଏ, ଶୁଖିଯାଏ ଏବଂ କେତେକ ସମୟରେ ଆମକୁ ଦେଖିବାରେ ଅସୁବିଧା ମଧ୍ୟ ହୁଏ । ତେଣୁ ରାତିରେ ଶୋଇବା ପୂର୍ବରୁ ଫୋନ ବ୍ୟବହାର କରନ୍ତୁ ନାହିଁ ।
ଅନ୍ଧାରରେ ଫୋନକୁ ଦେଖିବା ଦ୍ୱାରା ଆମର ଆଖି ଦୁର୍ବଳ ହୋଇପାରେ । ଏହି କାରଣରୁ, ଆମର ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ ଏବଂ ଆମର ଆଖି ଜଳିବାକୁ ଲାଗେ । ଯଦି ଆମେ ରାତିରେ ଅନ୍ଧାରରେ ଫୋନକୁ ଚାହିଁ ରହୁ, ତେବେ ଆମର ଦୃଷ୍ଟିଶକ୍ତି ମଧ୍ୟ ଖରାପ ହୋଇପାରେ । ତେଣୁ ଆମେ ରାତି ଅନ୍ଧାରରେ ଫୋନ ଦେଖିବାର ଅଭ୍ୟାସ ପରିତ୍ୟାଗ କରିବା ଉଚିତ ।
ଫୋନର ନୀଳ ଆଲୋକ ଆମ ନିଦକୁ ବାଧା ଦିଏ । ଏହି ଆଲୋକ ଆମ ଶରୀରରେ ଏକ ନିର୍ଦ୍ଦିଷ୍ଟ ହରମୋନ ଗଠନକୁ ରୋକିଥାଏ, ଯାହା ଆମକୁ ନିଦରେ ସାହାଯ୍ୟ କରେ । ଏହି କାରଣରୁ ଆମକୁ ରାତିରେ ନିଦ ଲାଗେନି ଓ ଆମେ କ୍ଳାନ୍ତ ରହିଥାଉ ।
ଯଦି ଆମେ ବହୁତ ସମୟ ଧରି ଫୋନକୁ ଦେଖୁ, ତେବେ ଆମ ଆଖି ଉପରେ ବହୁତ ଚାପ ପଡ଼ିଯାଏ । ଏହାକୁ ଡିଜିଟାଲ୍ ଆଖିର ଥକ୍କାପଣ କୁହାଯାଏ । ଯେତେବେଳେ ଏହା ହୁଏ, ଆମର ଦୃଷ୍ଟି ଝାପ୍ସା, ଆଖିରୁ ପାଣି ବାହାରିବା ଏବଂ ମୁଣ୍ଡବିନ୍ଧା ଆରମ୍ଭ ହୁଏ ।
ରାତିରେ ଶୋଇବା ପୂର୍ବରୁ ଫୋନ ବ୍ୟବହାର କରନ୍ତୁ ନାହିଁ । ଆବଶ୍ୟକ ହେଲେ ଆପଣଙ୍କ ଫୋନର ଉଜ୍ଜ୍ୱଳତା ବା ବ୍ରାଇଟନେସ୍ କମ କରନ୍ତୁ । ଆପଣ ଆପଣଙ୍କ ଫୋନରେ ଏପରି ଏକ ସେଟିଂ ସେଟ୍ କରିପାରିବେ ଯାହା ନୀଳ ଆଲୋକକୁ ହ୍ରାସ କରିବ । ଏହା ବ୍ୟତୀତ, ପ୍ରତି କୋଡ଼ିଏ ମିନିଟରେ କିଛି ସମୟ ପାଇଁ ଦୂର ବସ୍ତୁକୁ ଦେଖନ୍ତୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୋଇବାର ଅତି କମରେ ଗୋଟିଏ ଘଣ୍ଟା ପୂର୍ବରୁ ଆପଣଙ୍କ ଫୋନକୁ ବନ୍ଦ କରିଦିଅନ୍ତୁ । ଆପଣଙ୍କ ଆଖିର ଯତ୍ନ ନେବା ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।