ବିଜେପି କାର୍ଯ୍ୟାଳୟରେ ୪ ଘଣ୍ଟା ରହିଲେ ମୁଖ୍ୟମନ୍ତ୍ରୀ, ବଡ଼ ସୂଚନା ଦେଲେ ପ୍ରଭାରୀ ବିଜୟ ପାଲ ସିଂ ତୋମାର
ଚଳିତ ମାସରେ ହିଁ ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପୂର୍ଣ୍ଣ ବହୁମତ ସହିତ ସରକାରକୁ ଆସିବା ପରେ ନୂଆ ସଭାପତି ବାଛିବାକୁ ଯାଉଛି ବିଜେପି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିପାରେ। ଚଳିତ ମାସରେ ହିଁ ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି।
ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୁରୁତ୍ଵପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ୪ ଘଣ୍ଟା ଧରି ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବା ପାଇଁ ଆସୁଛନ୍ତି। ତେଣୁ ତାଙ୍କ ଗସ୍ତକୁ ବ୍ୟାପକ ଭାବେ ସଫଳ କରିବାକୁ ବୈଠକରେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି।
ବୈଠକ ସରିବା ପରେ ପ୍ରଭାରୀ ତୋମାର କହିଥିଲେ, ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବହୁ ପଦାଧିକାରୀ ରହିଥିଲେ। ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିବ, ଦଳ ଏହାକୁ କିପରି ପ୍ରଚାର କରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି।
ସେହିପରି ଗତ ସାତ ମାସରେ ୭୦ ଲକ୍ଷରୁ ଅଧିକ ସଦସ୍ୟ ବିଜେପି ପ୍ରସ୍ତୁତ କରିଛି ବୋଲି ତୋମାର ସୂଚନା ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।