‘ମାଡ଼କୁ ମହାଦେବଙ୍କ ଡର’ ମାଟି ମା’ ପାଇଁ ସବୁ ଭୁଲିଯିବି… ଜନନୀକୁ ଜଗିବାକୁ ଠେଙ୍ଗା ଧରିବି କହିଲେ ଏକାମ୍ର ବିଧାୟକ

ଅଶ୍ଳୀଳ ନାଚ କଲେ ଖାଇବ ମାଡ଼ । ବାରଭୁଜାଙ୍କ ନିକଟରେ ଠେଙ୍ଗା ପୂଜା କଲେ ବାବୁ ସିଂ ।

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷ ଖଣ୍ଡଗିରି ମେଳା ବଜାରି ବା ଅଶ୍ଳୀର ନୃତ୍ୟ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସରକାରଙ୍କଠାରୁ ଆରମ୍ଭ କରି କମିଟି ସଦସ୍ୟ ଅଶ୍ଳୀର ନୃତ୍ୟ କରିବା ପାଇଁ ବାରଣ କରିଥିବାବେଳେ କେତେଜଣ ଡ୍ୟାନ୍ସର ଅଶ୍ଳୀଳ ନୃତ୍ୟ କରିବା ନେଇ ଜିଦ୍ ଧରି ବସିଛନ୍ତି । ସେମାନଙ୍କୁ ସାବାଡ୍ କରିବା ପାଇଁ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଆଜି ଠେଙ୍ଗା ପୂଜା କରିଛନ୍ତି ।

ନ ମାନିଲେ ଖାଇବ ମାଡ଼: ବାରଭୁଜାଙ୍କ ନିକଟରେ ବାବୁ ସିଂ ଏବଂ ତାଙ୍କ ସହଯୋଗୀ ଠେଙ୍ଗା ପୂଜା କରିଛନ୍ତି । ଯେଉଁମାନେ ସରକାରଙ୍କ ନିୟମ ବିରୁଦ୍ଧରେ ଯାଇ ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବେ ସେମାନଙ୍କ ଉପରେ ଠେଙ୍ଗା ପାହାର ପଡ଼ିବ ବୋଲି ବାବୁ ସିଂ କହିଛନ୍ତି ।

ବାବୁ ସିଂ ବିଧାୟକ ହୋଇ ଠେଙ୍ଗା ଧରିବା ଆଇନ ଶୃଙ୍ଖଳାକୁ ହାତକୁ ନେବା ସହ ସମାନ ବୋଲି ଲୋକ ସମାଲୋଚନା କରିଛନ୍ତି । କିନ୍ତୁ ଏହାର ଜବାବରେ ବାବୁ ସିଂ କହିଛନ୍ତି, ମୁଁ ପ୍ରଥମେ ଏ ମାଟି ଉକ୍ରଳର ପୁଅ । ଏ ମାଟିର ସଂସ୍କୃତିକୁ ଯେଉଁମାନେ ନଷ୍ଟ କରିବେ , ସେଦିନ ମୁଁ ଭୁଲିଯିବ ସବୁକିଛି । ମୋ ଜନନୀକୁ ଜଗିବାକୁ ଠେଙ୍ଗା ଧରିବି ।

ମୋ ସଂସ୍କୃତିରେ ଯେଉଁମାନେ ଅପସଂସ୍କୃତି ମିଶାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଠେଙ୍ଗା ପାହାର ବାଜିବ । ଓଡ଼ିଶାର ମା’ମାନେ ଓଡ଼ିଶାର ସଂସ୍କୃତି ପ୍ରଚାର କରନ୍ତୁ । ଆମେ ସରକାର ଓ ଯାତ୍ରା ପାର୍ଟି ମାଲିକଙ୍କୁ ଚେତାବନୀ ଦିଆଯାଇଛି । ଏହା ଶେଷ ଏବଂ ଶ୍ରେଷ୍ଠ ନିଷ୍ପତ୍ତି । ମାଡକୁ ମହାଦେବଙ୍କ ଡର କଥାର ଉଦାହରଣ ସୃଷ୍ଟି କରିବ ଖଣ୍ଡଗିରି ମେଳା ।