ପରଲୋକରେ ‘ଏଇ ଝୁମା ଝୁମା ଗୋଲାପି ବେଳାରେ..’ ଓ ‘କହନା ଏ ଫୁଲ କହନା’ ଭଳି ଲୋକପ୍ରିୟ ଗୀତର ଗୀତିକାର ସଂଗ୍ରାମ ମହାନ୍ତି
ଭୁବନେଶ୍ବର: ଗୀତିକବିଙ୍କ ମହଲରେ ଶୋକର ଛାୟା। ପରଲୋକରେ ‘ଏଇ ଝୁମା ଝୁମା ଗୋଲାପି ବେଳାରେ..’ ଓ ‘କହନା ଏ ଫୁଲ କହନା’ ଭଳି ଲୋକପ୍ରିୟ ଗୀତର ଗୀତିକାର ସଂଗ୍ରାମ ମହାନ୍ତି।
ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ସେ ନିଜର ଭଞ୍ଜପୁର ସ୍ଥିତ ବାସଭବନରେ ଶେଷ ନିଶ୍ବ।ସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।
ଆଜି ବାରୁଣୀଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ବିଧବା ପତ୍ନୀ ଓ ତିନିଜଣ କନ୍ୟା ଅଛନ୍ତି। ସଂଗ୍ରାମ ମହାନ୍ତି ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ।
ଗୀତିକାର ସଂଗ୍ରାମ କିଛି ଦିନ ହେବ ଅସୁସ୍ଥ ଅନୁଭବ କରୁଥିଲେ। ଆଜି ତାଙ୍କର ଦେହାନ୍ତ ଘଟିଛି। ବାର୍ଧକ୍ୟ ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି।
ସଂଗ୍ରାମ ୧୯୪୭ ମସିହା ଜାନୁଆରି ୨୭ ତାରିଖରେ ବାରିପଦା ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ଭଞ୍ଜପୁର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଶିକ୍ଷକତା କରିବା ପରେ ସ୍ବେଚ୍ଛାକୃତ ଅବସର ନେଇଥିଲେ।
ତାଙ୍କ ଜୀବନ କାଳ ମଧ୍ୟରେ ଆକାଶବାଣୀ, ସିନେମା ଓ ଆଲବମ୍ ପାଇଁ ସେ ବହୁ ଗୀତ ଲେଖିଥିଲେ। ସେ ବିଶେଷ କରି ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଅଭିଳାଷ’ର ଏଇ ଝୁମା ଝୁମା ଗୋଲାପି ବେଳାରେ.. ଓ ମହମ୍ମଦ୍ ମହସୀନଙ୍କ ନିର୍ଦ୍ଦେଶିତ ‘ଫୁଲଚନ୍ଦନ’ର କହନା ଏ ଫୁଲ କହନା ଗୀତ ଲାଗି ଲୋକଙ୍କ ପାଖରେ ସ୍ମରଣୀୟ ହୋଇ ରହିବେ।