ଆଉ AC ଅଫିସରେ ବସିପାରିବେନି ଅଫିସର… ଗାଁ ରେ ରାତି କାଟିବେ, ସ୍କୁଲ ମଧ୍ୟାହ୍ନ ଭୋଜନ ଖାଇବେ

ଆହାର ଖାଇ, ମାନ ଯାଞ୍ଚ କରିବେ ବାବୁ । ଗୋଟିଏ ମାସ ଧରି ଚାଲିବ ଏ ଅଭିଯାନ ।

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଶାସନ । ନୂଆ ସରକାର ଓଡ଼ିଶାର କାୟା କଳ୍ପ ବଦଳାଇବା ପାଇଁ ଅଣ୍ଟା ଭିଡିଛନ୍ତି । ସରକାର ନୂଆ ଯୋଜନା କରିବା ସହ ଲୋକଙ୍କ ସହ ଯୋଗାଯୋଗ ବଢ଼ାଇବା ପାଇଁ କାର୍ଯ୍ୟ କରୁଛନ୍ତି । ନେତାଙ୍କ ସହ ଏବେ ଅଫିସର ମଧ୍ୟ ଫିଲ୍ଡ ୱାର୍କ କରିବେ ।

ଆହାର ଖାଇବେ: ୩୦ ଜିଲ୍ଲାକୁ ଯିବେ ୩୦ ଅଫିସର । ସେଠାରେ ଲୋକଙ୍କୁ ଭେଟିବେ । ଖାଦ୍ୟର ମାନ ଯାଞ୍ଚ କରିବେ । ରାଜ୍ୟରେ ଏବେବି ଆହାର ଯୋଜନା ସୁରୁଖୁରୁରେ ଚାଲିଛି । ମାତ୍ର ୫ ଟଙ୍କାରେ ଲୋକମାନେ ଭାତ ଖାଇ ପେଟ ପୂରା କରୁଛନ୍ତି । ତେବେ ଏହି ଆହାରକୁ ଖାଇବେ ଏବେ ଆଇଏଏସ୍ ଅଫିସର ।

ଛାଡ଼ିବେ AC ଅଫିସ୍: ଭୁବନେଶ୍ୱର ଏସି ଅଫିସରେ ନ ବସି ଏଣିକି ଗାଁ ଗାଁ ବୁଲିବେ ଅଫିସର ବାବୁ । ଗ୍ରାମାଞ୍ଚଳ ସ୍କୁଲ ଯିବେ । ସେଠାରେ ପିଲାମାନଙ୍କୁ କେଉଁ ପ୍ରକାର ଖାଦ୍ୟ ଦିଆଯାଉଛି ତା’ର ଯାଞ୍ଚ କରିବେ । ଏ କାର୍ଯ୍ୟରେ ଆଇଏଏସ ବାବୁମାନେ ଆହାର କେନ୍ଦ୍ର ଯାଇ ସେଠାରେ ଖାଇବେ । ଯଦି ସେଠାର ଖାଇବା ସମ୍ଭବପର ନ ହେଲା ତେବେ ସ୍କୁଲ ମଧ୍ୟାହ୍ଣ ଭୋଜନ ଖାଇବେ ବୋଲି ଉନ୍ନୟନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଲୋକଙ୍କ ସହିତ ସରକାର ଏବଂ ସରକାରୀ ଯୋଜନା ସମ୍ପର୍କରେ ଜଣାଇବା ପାଇଁ ଏ ପ୍ରକାର ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସରକାରଙ୍କ ଦ୍ୱାରା ପ୍ରସ୍ତୁୂତ ଯୋଜନାରୁ କେଉଁଭଳି ଭାବେ ଲୋକମାନେ ସୁବିଧା ପାଇବେ ତା’ ସମ୍ପର୍କରେ ତନ ତନ କରି ବାବୁମାନେ ଲୋକଙ୍କୁ ବିଝାଇବେ ।

ଫେବୃଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ପଡ଼ିବ । ଏ ନେଇ ୩୦ ଜଣ ଆଇଏଏସଙ୍କ ନାମ ଚୟନ କରାଯାଇଛି ।