ଗିରଫ ହେଲେ ଟିକେଟ୍ କଳାବାଜାରୀ, ୧୧ ଶହରେ କିଣି ୭୦୦୦ ଟଙ୍କାରେ କରୁଥିଲେ ବିକ୍ରି
ଡିଲ୍ ବେଳେ ଗିରଫ କଲା ପୋଲିସ। କ୍ରିକେଟ୍ ପ୍ରେମୀଙ୍କ ପାଖରୁ ନେଉଥିଲେ ମୋଟା ଅଙ୍କ। ୧୧ଶହରେ କିଣୁଥିଲେ ଆଉ ୭୦୦୦ରେ ଡିଲ୍ କରୁଥିଲେ। କଳାବଜାରୀଙ୍କ ଚାଲ୍ ପାଣିରେ ପକାଇଦେଲା ପୋଲିସ।
କଟକ: ମଝିରେ ଆଉ ଗୋଟିଏ ଦିନ। ତା ପରେ ବାରବାଟୀରେ ଦେଖିବାକୁ ମିଳିବ ଦୁଇ ଦଳ ମଧ୍ୟରେ ଧୁଆଁଦାର ଲଢ଼େଇ। ଷ୍ଟାଡ଼ିୟମ ପରିସରରେ ବି ଦେଖିବାକୁ ମିଳିବ କ୍ରିକେଟ ପ୍ରେମୀଙ୍କ ହୋ ହଲ୍ଲା। ହେଲେ ତା ପୂର୍ବରୁ ଗିରଫ ହୋଇସାରିଛନ୍ତି ଟିକେଟ କଳାବଜାରୀ।
ହଁ ଲୋକଙ୍କ ସହ ଦଲାଲୀ କରୁଛନ୍ତି କିଛି ଲୋକ। ଯେଉଁମାନେ କି ଫେବୃଆରୀ ୯ ତାରିଖରେ ହେବାକୁ ଥିବା ଓ୍ୱାନଡ଼େ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ କରୁଛନ୍ତି। ଆଉ ୧୧ ଶହ ଟଙ୍କାରେ ଟିକେଟ କିଣି ୭ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏକଥା ଜାଣିବା ପରେ ୭ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ।
ଗିରଫ କଲା ପୋଲିସ: ଆପଣମାନେ ନିଜେ ଦେଖିଥିବେ ବାରବାଟୀରେ ହେବାକୁ ଥିବା ମ୍ୟାଚ୍ ପାଇଁ ଲୋକଙ୍କ ଭିତରେ କି ପ୍ରକାର କ୍ରେଜ ରହିଛି। ଦୁଇ ଦିନ ଧରି ଅଫଲାଇନରେ ଟିକେଟ ବିକ୍ରି ହେବାକୁ ଥିବା ବେଳେ, ଲୋକଙ୍କ ମଧ୍ୟରେ ଏତେ ଆଗ୍ରହ ଥିଲା ଯେ ଠେଲାପେଲା ପରିସ୍ଥିତି ଉପୁଜିଥିଲା।
ଆଉ ଗୋଟିଏ ଦିନରେ ହିଁ ୧୨୦୦୦ ଟିକେଟ ବିକ୍ରି ହୋଇଯାଇଥିଲା। ଅନେକ ଲୋକ ରାତି ଅନିଦ୍ରା ହୋଇ ଭୋକ ଉପାସରେ ପଡିରହିଥିଲେ ସୁଦ୍ଧା ଟିକେଟ ନପାଇ ନିରାଷ ହୋଇ ଘରକୁ ଫେରିଥିଲେ।
ଆଉ ଏବେ ସେହିଭଳି କିଛି କ୍ରିକେଟ ପ୍ରେମୀଙ୍କ ଅସହାୟର ଫାଇଦା ଉଠାଇଛନ୍ତି କିଛି ଲୋକ। ୧୧୦୦ ଟଙ୍କାରେ ଟିକେଟ କିଣିଛନ୍ତି। କିନ୍ତୁ ଲୋକଙ୍କ ସହ ହଜାର ହଜାର ଟଙ୍କାର ଡିଲ୍ କରୁଛନ୍ତି।
ଯାହାର ସୁରାକ ପହଞ୍ଚିଥିଲା ପୋଲିସ ପାଖରେ। ଆଉ ଲୋକଙ୍କ ସହ ଟିକେଟ ପାଇଁ ଡିଲ୍ କରୁଥିବା ବେଳେ, କିଛି କଳାବଜାରୀଙ୍କୁ ଧରିଥିଲା ପୋଲିସ। ଆଉ ସେମାନଙ୍କ ଭିତରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଜବତ ସାମଗ୍ରୀ: କ୍ୟାଣ୍ଟନମେଣ୍ଟ ପୋଲିସ ପ୍ରଥମେ ୪ ଜଣଙ୍କୁ ଅଟକ ରଖିଥିଲା। ସେମାନଙ୍କ ପାଖରୁ୨୫ଟି ଟିକେଟ ସହିତ ୩୦ ହଜାର ଟଙ୍କା ଜବତ କରାଯାଇଛି। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି।
ମାତ୍ର ୧୫ ହଜାର ୮୦ଟି ଟିକେଟ ବିକ୍ରି ହୋଇଥିବା ବେଳେ ୩୦ ହଜାର ପାଖାପାଖି ପାସ୍ ବଣ୍ଟା ଯାଇଛି। ଫଳରେ ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି। ଅନେକ କ୍ରୀଡାପ୍ରେମୀ ନିରାଶ ହୋଇଥିବା ବେଳେ ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି ଟିକେଟ କଳାବଜାରୀ।