ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର(IGIA)ରୁ ମହଙ୍ଗା ହେବ ଉଡ଼ାଣ ଏବଂ ଅବତରଣ । GMR ଗ୍ରୁପ୍ ନେତୃତ୍ୱାଧୀନ ଦିଲ୍ଲୀ ବିମାନବନ୍ଦର ଅପରେଟର DIAL ଇକୋନୋମୀ ଏବଂ ବିଜନେସ୍ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏବଂ ପିକ୍ ଓ ଅଫ୍ ପିକ୍ ସମୟ(peak and non peak hours) ପାଇଁ ଭିନ୍ନ ଭିନ୍ନ ଉପଭୋକ୍ତା ଶୁଳ୍କ ଆଦାୟ କରିବା ପାଇଁ ପ୍ରସ୍ତାବ ଦେଇଛି ।
ଆଗାମୀ ଦିନରେ ଏହା ଶୀଘ୍ର କାର୍ଯ୍ୟକାରୀ ହେବା ନେଇ ଆଶା ରହିଛି ।
ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ପ୍ରସ୍ତାବିତ ଚତୁର୍ଥ ଟାରିଫ୍ ନିୟନ୍ତ୍ରଣ ଅବଧି ପାଇଁ ଏହାର ପ୍ରସ୍ତାବରେ କହିଛି ଯେ ଅନ୍ତର୍ଜାତୀୟ ବିମାନରେ ଇକୋନୋମୀ ଏବଂ ବିଜନେସ୍ ଶ୍ରେଣୀର ଯାତ୍ରୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଉପଭୋକ୍ତା ବିକାଶ ଶୁଳ୍କ ଆଦାୟ କରାଯିବା ଉଚିତ ।
ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିବା ଇକୋନୋମୀ ଶ୍ରେଣୀର ଯାତ୍ରୀଙ୍କ ପାଇଁ ପ୍ରସ୍ତାବିତ UDF ୪୩୦ ଟଙ୍କାରୁ ୮୧୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ସେହିଭଳି ବିଜନେସ୍ ଶ୍ରେଣୀର ଯାତ୍ରୀଙ୍କ ପାଇଁ ୮୬୦ ଟଙ୍କାରୁ ୧୬୨୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ରଖାଯାଇଛି ।
ବିମାନବନ୍ଦର ଅର୍ଥନୈତିକ ନିୟାମକ ପ୍ରାଧିକରଣକୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ପ୍ରଥମ ଦୁଇ ବର୍ଷ ୨୦୨୫-୨୬ ଏବଂ ୨୦୨୬-୨୭ ପାଇଁ ପ୍ରତ୍ୟେକ ଇକୋନୋମି କ୍ଲାସ ଯାତ୍ରୀଙ୍କ ପାଇଁ ୮୧୦ ଟଙ୍କା ଏବଂ ତା’ପରେ ୨୦୨୭-୨୮ ଏବଂ ୨୦୨୮-୨୯ ପାଇଁ ୪୩୦ ଟଙ୍କା UDF ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆନ୍ତର୍ଜାତୀୟ ବିମାନରୁ ଓହ୍ଲାଇବା ପାଇଁ ଇକୋନୋମି କ୍ଲାସ ଯାତ୍ରୀଙ୍କ ପାଇଁ ପ୍ରସ୍ତାବିତ ଶୁଳ୍କ ପ୍ରଥମ ଦୁଇ ବର୍ଷ ପାଇଁ ବ୍ୟକ୍ତି ପିଛା ୨୮୦ ଟଙ୍କା ଏବଂ ୨୦୨୫-୨୦୨୯ ନିୟନ୍ତ୍ରଣ ଅବଧିର ଶେଷ ଦୁଇ ବର୍ଷ ପାଇଁ ୧୫୦ ଟଙ୍କା ରହିଛି । ସେହିଭଳି ବିଜନେସ୍ ଶ୍ରେଣୀର ଯାତ୍ରୀଙ୍କ କ୍ଷେତ୍ରରେ, ୨୦୨୫-୨୬ ଏବଂ ୨୦୨୬-୨୭ ପାଇଁ ପ୍ରତି ବ୍ୟକ୍ତି ୫୭୦ ଟଙ୍କା ଏବଂ ୨୦୨୭-୨୮ ଏବଂ ୨୦୨୮-୨୯ ପାଇଁ ପ୍ରତି ବ୍ୟକ୍ତି ୩୦୦ ଟଙ୍କା ସୁପାରିଶ କରାଯାଇଛି ।
ଦିଲ୍ଲୀ ବିମାନବନ୍ଦରରେ ସାଧାରଣତଃ ସକାଳ ୫ଟାରୁ ୮.୫୫ ଏବଂ ସନ୍ଧ୍ୟା ୬ଟାରୁ ୮.୫୫ ପର୍ଯ୍ୟନ୍ତ ବ୍ୟସ୍ତ ସମୟ ଥାଏ । DIAL ଘରୋଇ ବିମାନ ଯାତ୍ରାରେ ଚଢ଼ିବା ଏବଂ ଓହ୍ଲାଇବା ପାଇଁ ପିକ୍ ଏବଂ ନନ୍-ପିକ୍ ସମୟ ପାଇଁ ଭିନ୍ନ ଭିନ୍ନ ଉପଭୋକ୍ତା ଶୁଳ୍କ ଲାଗୁ କରିବାକୁ ଦାବି କରିଛି । DIAL କହିଛି ଯେ ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ପ୍ରସ୍ତାବିତ ଶୁଳ୍କ ଭିଡ଼ ସମୟରେ ପ୍ରତି ବ୍ୟକ୍ତି ପାଇଁ ୩୧୫ ଟଙ୍କାରୁ ୬୧୦ ଟଙ୍କା ପର୍ଯ୍ୟନ୍ତ ରହିବ। ଘରୋଇ ଯାତ୍ରୀଙ୍କ ପାଇଁ ନନ୍-ପିକ୍ ସମୟରେ ପ୍ରତି ବ୍ୟକ୍ତି ପାଇଁ ପ୍ରସ୍ତାବିତ ଭଡ଼ା ୧୧୫-୨୧୦ ଟଙ୍କା ଧାର୍ଯ୍ୟ କରାଯାଇଛି ।