ବାଟରେ ଜଗି ବସିଥିଲା ଯମ… ମାତ୍ର ୫ ମିନିଟରେ ଆଖିବୁଜିଲେ ଗୋଟିଏ ପରିବାରର ୬ ଜଣ

ମହାକୁମ୍ଭରୁ ଫେରିଲାବେଳେ ଘଟିଲା ବଡ଼ ଦୁର୍ଘଟଣା । ଏକାସାଙ୍ଗରେ ଚାଲିଗଲା ୬ ଜଣଙ୍କ ପ୍ରାଣ ।

ଭୋଜପୁର: ପ୍ରୟାଗରାଜରୁ କୁମ୍ଭ ସ୍ନାନ ସାରି ପାଟଣା ଫେରିବାବେଳେ ବଡ଼ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ବଡ଼ ଥିଲା ଯେ,ମାତ୍ର ୫ ମିନିଟରେ ଘଟଣାସ୍ଥଳରେ ହିଁ ପରିବାରର ୬ ଜଣ ସଦସ୍ୟ ଆଖିବୁଜିଦେଇଛନ୍ତି ।

ଶୁକ୍ରବାର ଭୋରବେଳା ଦୁଲ୍ହିନଗଞ୍ଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନଙ୍କ ମଧ୍ୟରେ ଦମ୍ପତି, ସେମାନଙ୍କ ୨ ଝିଅଙ୍କ ସମେତ ୬ ଲୋକଙ୍କ ପ୍ରାଣହାନୀ ଘଟିଛି ।

ସ୍ପିଡରେ ଥିଲା କାର୍: ପାଟଣା ପହଞ୍ଚିବାକୁ ୪୦ କିଲୋମିଟର ବାକିଥିବାବେଳେ ଆରା-ମୋହନିଆ ନ୍ୟାଶନାଲ ହାଇୱେରେ ଥିବା ପେଟ୍ରୋଲ ପମ୍ପ ନିକଟରେ କାର୍ ଡ୍ରାଇଭର ଆଖି ଲାଗିଯାଇଥିଲା । ଫଳରେ ହାଇୱେରେ ଛିଡ଼ାଥିବା ଟ୍ରକ୍ ସହ ଯାଇ କାର୍ ପିଟି ହୋଇଥିଲା । କାର୍ ଫୁଲ୍ ସ୍ପିଡରେ ଥିବାବେଳେ ଟ୍ରକ୍ ସହ ପିଟିହେବା ଫଳରେ କାର ଛାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

କାରର ଚକା ଖସି ୨୦ ଫୁଟ ଦୂରରେ ଯାଇ ପଡ଼ିଲା । ମାତ୍ର ୫ ମିନିଟରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହସ୍ପିଟାଲ ପଠେଇଛି ଏବଂ ଘଟଣାର ତଦନ୍ତ କରୁଛି ।