ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (BBC) ଇଣ୍ଡିଆ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ଉପରେ ୩.୪୪ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଇଛି। ଇଡି କହିଛି ଯେ ବିବିସି ଇଣ୍ଡିଆ ଡିଜିଟାଲ୍ ମିଡିଆ ସଂଗଠନଗୁଡ଼ିକ ପାଇଁ ନିର୍ଦ୍ଧାରିତ ୨୬% ବିଦେଶୀ ନିବେଶ (FDI) ସୀମା ପାଳନ କରିନାହିଁ ଏବଂ ଏହାକୁ ୧୦୦% ରେ ବଜାୟ ରଖିଛି। ଯାହା ଭାରତୀୟ ଆଇନର ଉଲ୍ଲଂଘନ।
ଶୁକ୍ରବାର ଦିନ ଜାରି ହୋଇଥିବା ଏକ ଆଦେଶରେ ED କହିଛି, “BBC WS India ଉପରେ ୩,୪୪,୪୮,୮୫୦ ଟଙ୍କା ଜରିମାନା ଲଗାଯାଇଛି। ୧୫ ଅକ୍ଟୋବର ୨୦୨୧ ପରେ ନିୟମ ପାଳନ ନ କରିବା ପାଇଁ ପ୍ରତିଦିନ ୫,୦୦୦ ଟଙ୍କା ଅତିରିକ୍ତ ଜରିମାନା ଲଗାଯିବ।” ଏହା ସହିତ କମ୍ପାନୀର ତିନି ଜଣ ନିର୍ଦ୍ଦେଶକ – ଜାଇଲ୍ସ ଆଣ୍ଟୋନି ହଣ୍ଟ, ଇନ୍ଦୁ ଶେଖର ସିହ୍ନା ଏବଂ ପଲ ମାଇକେଲ ଗିବନ୍ସ -ଙ୍କୁ ବ୍ୟକ୍ତିଗତ ଭାବରେ ୧,୧୪,୮୨,୯୫୦ ଟଙ୍କା ଜରିମାନା କରାଯାଇଛି।
ଇଡି ଏପ୍ରିଲ ୨୦୨୩ ରେ FEMA (ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ଅଧୀନରେ ବିବିସି ଇଣ୍ଡିଆ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଥିଲା। ଏହା ପୂର୍ବରୁ ଫେବୃଆରୀ ୨୦୨୩ ରେ ଆୟକର ବିଭାଗ ଦିଲ୍ଲୀ ସମେତ ଅନେକ ସହରରେ ଥିବା ବିବିସି ଇଣ୍ଡିଆର କାର୍ଯ୍ୟାଳୟଗୁଡ଼ିକର ସର୍ଭେ କରିଥିଲା। ଜଣେ ଅଧିକାରୀ କହିଛନ୍ତି, “ସେପ୍ଟେମ୍ବର ୨୦୧୯ରେ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଡିଜିଟାଲ୍ ମିଡିଆରେ FDI ସୀମା ୨୬% ସ୍ଥିର କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା। ଏହା ସତ୍ତ୍ୱେ BBC WS India ଏହାର ବିଦେଶୀ ଅଂଶଧନକୁ ହ୍ରାସ କରିନଥିଲା ଏବଂ ଏହାକୁ ୧୦୦ ପ୍ରତିଶତରେ ବଜାୟ ରଖିଥିଲା। ଯାହା ଦ୍ୱାରା ସରକାରୀ ନିୟମ ଉଲ୍ଲଂଘନ ହୋଇଥିଲା।”
ଫେବୃଆରୀ ୨୦୨୩ ରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ବିବିସି କହିଥିଲା ଯେ “ଆମେ ଭାରତ ସରକାରଙ୍କ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ ଜାରି ରଖିବୁ ଏବଂ ଆଶା କରୁଛୁ ଯେ ଏହି ମାମଲା ଶୀଘ୍ର ସମାଧାନ ହେବ।” ବିବିସି ଏହା ମଧ୍ୟ କହିଛି, “ଆମେ ଏକ ବିଶ୍ୱସ୍ତ, ସ୍ୱାଧୀନ ଗଣମାଧ୍ୟମ ସଂଗଠନ ଏବଂ ଆମର ସାମ୍ବାଦିକମାନଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହେବୁ। ଯେଉଁମାନେ ଭୟ କିମ୍ବା ପକ୍ଷପାତ ବିନା ରିପୋର୍ଟିଂ ଜାରି ରଖନ୍ତି।”