ଇନଷ୍ଟାଗ୍ରାମ ସାଙ୍ଗର ଜଘନ୍ୟ କାଣ୍ଡ: ୧୦ମ ଶ୍ରେଣୀ ଝିଅର ତଣ୍ଟି କାଟିଲା +୨ ଛାତ୍ର
ଲୋଭୀ ସାଙ୍ଗର ଆଖି ଥିଲା ସୁନା ଚେନ ଉପରେ । ୧୦ମ ଶ୍ରେଣୀ ସାଙ୍ଗକୁ ଡାକିଆଣି କଲା ଏମିତି କାମ ।
ଚେନ୍ନାଇ: ସାଙ୍ଗ, ସାଥୀ କରିବାର ମାଧ୍ୟମ ବର୍ତ୍ତମାନ ସମୟରେ କେବଳ କ୍ଲାସ ରୁମ୍ କିମ୍ବା ଟ୍ୟୁସନରେ ସିମିତ ନାହିଁ । ଅନଲାଇନ ଯୁଗରେ ପିଲାଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ସାଇଟରୁ ନୂଆ ସାଙ୍ଗ ବନେଇବାରେ ଲାଗିଛନ୍ତି । ଯାହା ପାଇଁ ଅନେକ ସମୟରେ ବହୁ ଅପରାଧ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି ।
ସୁନା ଚେନ: ତାମିଲନାଡ଼ୁର କ୍ରିଷ୍ଣାପୁରମରେ ଜଣେ ୧୦ ଶ୍ରେଣୀ ଛାତ୍ରୀଙ୍କ ଗଳା କାଟିଦେଇଛି +୨ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଆକ୍ରମଣକାରୀ ଛାତ୍ର ଏବଂ ତା’ର ୨ ସାଙ୍ଗକୁ ପୋଲିସ ଗିରଫ କରିଛି ।
ତଣ୍ଟି କାଟିଲା: ଆହତ ଛାତ୍ରୀ ଏବଂ +୨ ଛାତ୍ର ଦୁହେଁ ଗୋଟିଏ ସ୍ଥାନର ହୋଇଥିବାବେଳେ ପରସ୍ପର ସହ ଇନଷ୍ଟାଗ୍ରାମରେ ଭେଟ ହୋଇଥିଲେ । ଫେବୃଆରୀ ୨୩ ତାରିଖରେ ନାବାଳିକାଙ୍କୁ ଦେଖା କରିବାକୁ ଘର ପାଖକୁ ଡକାଇଥିଲେ । ନାବାଳିକା ଜଣକ ଆସି ପହଞ୍ଚିଲାବେଳକୁ ଛାତ୍ର ତାଙ୍କ ସୁନା ଚେନ୍ ଛଡ଼ାଇବାକୁ ଚେଷ୍ଟା କଲେ, ଯାହାକୁ ନେଇ ଦୁହିଁଙ୍କ ଭିତରେ ସଂଘର୍ଷ ହୋଇଥିଲା ।
ବନ୍ଧା ହେଲା ଛାତ୍ର: ଅଭିଯୁକ୍ତ ଧାରୁଆ ଛୁରୀରେ ତାଙ୍କ ଗଳା କାଟି ଦେଇଥିବା ବେଳେ ଏଥିରେ ଛାତ୍ରର ୨ ବନ୍ଧୁ ମଧ୍ୟ ସାମିଲ ଥିଲେ । ଆହତ ଅବସ୍ଥାରେ ନାବାଳିକା ଘରକୁ ଦୌଡ଼ିଯାଇଥିଲେ । ତାଙ୍କ ଅବସ୍ଥା ଦେଖି ଘରଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରେଇଥିଲେ । ନାବାଳିକାଙ୍କ ବୟାନ ଆଧାରରେ ସ୍ଥାନୀୟ ପୋଲିସ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରି ତଦନ୍ତ କରୁଛି ।