୩ ମାସ ଲାଗି ରହିବ ଗ୍ରୀଷ୍ମ ଲହର, ଡହ ଡହ ତାତିରେ କଲବଲ ହେବ ମଣିଷ…

୪୦ ଡିଗ୍ରୀ ପାର୍ କରିବ ତାପମାତ୍ରା । କଲବଲ ହେବ ଜନଜୀବନ ।

ଭୁବନେଶ୍ୱର: ବର୍ଷର ୮ ମାସ ପର୍ଯ୍ୟନ୍ତ ଗରମର ପ୍ରକୋପ ଛାଡ଼ୁନି । ଶୀତରେ ବି ଗରମ ଲାଗୁଛି । ଆଗକୁ ଏ ସ୍ଥିତି ସାଂଘାତିକ ରୂପ ନେବାକୁ ଯାଉଛି । ସରକାରୀ ଓ ବ୍ୟକ୍ତିଗତ ସ୍ତରରେ ସବୁ ପ୍ରୟାସ ସତ୍ତେ୍ୱ ବି ବିଶ୍ୱର ହାରାହାରି ତାପମାତ୍ରା ବଢ଼ିବାରେ ଲାଗିଛି ।

ଚିନ୍ତାଜନକ: ଆଇପିସିସିର ଭୟାନକ ଆକଳନ ଅନୁସାରେ ୨୦୫୦ ମସିହାବେଳକୁ ବିଶ୍ୱର ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ ବଢ଼ିବ । ଏହା ସତ ହେଲେ, ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ବର୍ଷକୁ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୭ରୁ ବଢ଼ି ୮୦ ଛୁଇଁବ ।

ଲୋକେ ହନ୍ତସନ୍ତ: ପୂର୍ବରୁ ହାରାହାରି ଗ୍ରୀଷ୍ମ ପ୍ରବାହ ଦିନ ୧୧ ରହୁଥିଲା । ୨୦୨୩ରେ କିନ୍ତୁ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୨ ଗୁଣା ବଢ଼ି ୨୨ରେ ପହଞ୍ଚିଛି । ସେହିପରି ୨୦୨୪ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
କିନ୍ତୁ ୨୦୫୦ ବେଳକୁ ଗ୍ରୀଷ୍ମ ପ୍ରବାହ ୮୦ ଦିନ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ ।

୪୦ ଡିଗ୍ରୀରୁ ଅଧିକ: ସ୍ୱଭାବିକ୍ ତାପମାତ୍ରାଠାରୁ ୪ରୁ ୬ ଡିଗ୍ରୀ ସେଲସିୟସ ଅଧିକ ରହିଲେ, କିମ୍ବା ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଲେ ଏହାକୁ ହଟ୍ ୱେଭ୍ କିମ୍ବା ଗ୍ରୀଷ୍ମ ପ୍ରବାହ ବୋଲି କୁହାଯାଏ ।

ଅର୍ଥାତ୍ ବର୍ତ୍ତମାନ ସମୟରେ ୨୦ରୁ ୨୨ ଦିନ ଗ୍ରୀଷ୍ମ ଲହର ଲାଗି ରହୁଥିବାବେଳେ ଆଗାମୀ ଦିନରେ ଏହି ଲହର ପାଖାପଖି ୩ ମାସ ପର୍ଯ୍ୟନ୍ତ ଜାରି ରହିବ । ଯାହା ଲୋକଙ୍କୁ କଲବଲ କରିବ ବୋଲି ଏକ ପ୍ରକାର ସୂନିଶ୍ଚିତ ହେଉଛି ।

ସାଂଘାତିକ ସ୍ଥିତି: ୨୦୧୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି ଦେଖିବାକୁ ମିଳିଛି । ଯାହା କ୍ରମାଗତ ଜାରି ରହିଛି । ଆଗାମୀ ଦିନରେ ସ୍ଥିତି ଅଣାୟତ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।