Video: ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲେନ୍‌ସ୍କି ମୁହାଁମୁହିଁ, ଉଠିଲା ତୃତୀୟ ବିଶ୍ୱଯୁଦ୍ଧ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଏକ ଖଣିଜ ଚୁକ୍ତି ସ୍ୱାକ୍ଷର କରିବାକୁ ସ୍ଥିର କରିଥିଲେ, ଯାହା ୟୁକ୍ରେନ-ରୁଷ ଯୁଦ୍ଧ ସମାପ୍ତ କରିବାରେ ଆମେରିକାର ସମ୍ପୃକ୍ତିକୁ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। ତଥାପି, ହ୍ୱାଇଟ୍ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଥିଲା। ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ଦୁଇ ନେତା ମୁହଁାମୁହିଁ ହୋଇଛନ୍ତି। ଏପରିକି ଟ୍ରମ୍ପ୍‌ ଓ ଜେଲେନ୍‌ସ୍କିଙ୍କ ମଧ୍ୟରେ ତିକ୍ତତାପୂର୍ଣ୍ଣ ଯୁକ୍ତିତର୍କ ମଧ୍ୟ ହୋଇଛି।

ରୁଷ ଯୁଦ୍ଧକୁ ନେଇ ଗଣମାଧ୍ୟମ ଏବଂ କୂଟନୀତିଜ୍ଞଙ୍କ ସମ୍ମୁଖରେ ନେତାମାନେ ମୁହାଁମୁହିଁ ହୋଇଥିଲେ, ଟ୍ରମ୍ପ ଜେଲେନସ୍କିଙ୍କୁ ଦୋଷ ଦେଇଥିଲେ, ତାଙ୍କୁ “ବିଶ୍ୱଯୁଦ୍ଧ ସହିତ ଜୁଆ ଖେଳିବା” ଏବଂ ଅଶିଷ୍ଟ ବୋଲି ଅଭିଯୋଗ କରିଥିଲେ। ଜେଲେନସ୍କି, କ୍ରମେ, ରୁଷ ପ୍ରତି ଟ୍ରମ୍ପଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଜଣେ “ହତ୍ୟାକାରୀ” ସହିତ କୌଣସି ସାଲିସ କରାଯିବା ଉଚିତ୍ ନୁହେଁ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଉଲ୍ଲେଖ କରି।

ହ୍ବାଇଟ୍‌ ହାଉସ୍‌ର ଓଭାଲ ଅଫିସ୍‌ରେ ଉଭୟଙ୍କ କଥା କଟାକଟି ଯୋଗୁ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖି ସେଠାରେ ଉପସ୍ଥିତ ଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ମଝିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ୩ ବର୍ଷ ଧରି ୟୁକ୍ରେନ୍‌ ସହ ଯୁଦ୍ଧରତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜେଲେନ୍‌ସ୍କି ଆତଙ୍କବାଦୀ କହିବାକୁ ପଛାଇ ନାହାନ୍ତି। ସେହିପରି ଏହି ଯୁଦ୍ଧ ବନ୍ଦ କରିବାକୁ ହେଲେ ଆମେରିକା ୟୁକ୍ରେନ୍‌କୁ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ପଡ଼ିବ ବୋଲି ଜେଲେନ୍‌ସ୍କି ଟ୍ରମ୍ପ୍‌ଙ୍କ ଆଗରେ ଦାବି ରଖିଛନ୍ତି। ଟ୍ରମ୍ପ୍‌ ଓ ଭାନ୍ସ ଜେଲେନ୍‌ସ୍କିଙ୍କ ବ୍ୟବହାରକୁ ‘ଅଶିଷ୍ଟ’ ବୋଲି ଅଭିହିତ କରିଛନ୍ତି।

ମିନେରାଲ ଡିଲ୍ସ ପାଇଁ ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚତ୍ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପ୍ରତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ନକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ଓଭାଲ ଅଫିସରେ ୪୫ ମିନିଟ୍‌ ଧରି ଚାଲିଥିବା ଆଲୋଚନା ବେଳେ ଜେଲେନ୍‌ସ୍କି ଟ୍ରମ୍ପ୍‌ଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ। ଜେଲେନ୍‌ସ୍କି କହିଥିଲେ, ପୁଟିନ ଜଣେ ଆତଙ୍କବାଦୀ। ଜଣେ ହତ୍ୟାକାରୀଙ୍କ ସହ ୟୁକ୍ରେନ୍‌ ଓ ବିଶ୍ୱ ସାଲିସ୍‌ କରିବାର ଆବଶ୍ୟକତା ନାହିଁ। ଯୁଦ୍ଧ ଚାଲିଥିବାବେଳେ ମଧ୍ୟ ଅନେକ ନିୟମ କାର୍ଯ୍ୟକାରୀ ହୋଇଥାଏ।

ଟ୍ରମ୍ପ୍‌ ଏଥିରେ ଉତ୍‌କ୍ଷିପ୍ତ ହୋଇ ଜେଲେନ୍‌ସ୍କିଙ୍କୁ କହିଥିଲେ, ଆପଣ ଅନେକ ନିୟୁତ ଲୋକଙ୍କ ଜୀବନକୁ ନେଇ ଜୁଆ ଖେଳୁଛନ୍ତି। ଏଭଳି କାର୍ଯ୍ୟ ତୃତୀୟ ବିଶ୍ୱଯୁଦ୍ଧକୁ ଉସୁକାଇପାରେ। ଉପରାଷ୍ଟ୍ରପତି ଭାନ୍ସ ଜେଲେନ୍‌ସ୍କିଙ୍କୁ କହିଥିଲେ, ଆପଣ ଓଭାଲ ଅଫିସକୁ ଆସି ଆମେରିକୀୟ ଗଣମାଧ୍ୟମ ସମ୍ମୁଖରେ ଟ୍ରମ୍ପ୍‌ଙ୍କୁ ଅପମାନିତ କରିବା ଏକ ଅଶିଷ୍ଟ ଆଚରଣ। ଜେଲେନ୍‌ସ୍କି ଆପତ୍ତି ଜଣାଉଥିବାବେଳେ ଟ୍ରମ୍ପ୍‌ ଉଚ୍ଚ ସ୍ବରରେ କହିଲେ, ଆପଣ ଯାହା କରୁଛନ୍ତି,ତାହା ଆମେରିକା ପ୍ରତି ଅସମ୍ମାନ। ଏହି ଦେଶ ଆପଣଙ୍କୁ ଅନେକ ସାହାଯ୍ୟ କରିଛି। ରୁଷିଆର ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ୟୁକ୍ରେନ୍‌ ଆମେରିକାଠାରୁ ପାଇଥିବା ସହଯୋଗକୁ ଟ୍ରମ୍ପ୍‌ ଏକ ଋଣ ମନେକରି ଏହା ବିନିମୟରେ ଜେଲେନ୍‌ସ୍କିଙ୍କ ସହ ତାଙ୍କ ଦେଶରେ ଥିବା ମୂଲ୍ୟବାନ ଖଣିଜ ସମ୍ପଦ ଉପରେ ଡିଲ୍‌ କରିବାକୁ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଏପରି କହିଥିବା କୁହାଯାଉଛି। ଏଭଳି ସ୍ଥିତିରେ ଟ୍ରମ୍ପ୍‌ ୟୁକ୍ରେନ୍‌କୁ କିଛି ମାତ୍ରାରେ ସାମରିକ ସହାୟତା ଦେଇ ଅଧିକ ହାସଲ କରିବାକୁ ଚାହିଁଛନ୍ତି, ଯାହାକି ତାଙ୍କ ପୂର୍ବ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି।

ଏହା ପୂର୍ବରୁ ଟ୍ରମ୍ପ୍‌ କହିଥିଲେ, ୟୁକ୍ରେନ୍‌କୁ ଆମେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଯାଉନାହୁଁ। ଆମେ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ, ଯାହା ପରେ ଅନେକ କିଛି କରିପାରିବୁ। କିନ୍ତୁ ଜେଲେନ୍‌ସ୍କି ରିହାତି ଦାବି କରିବା ଅବସ୍ଥାରେ ନାହାନ୍ତି। ଜେଲେନ୍‌ସ୍କି ତାଙ୍କ କଥାକୁ ନେଇ ଯୁକ୍ତି କରିବା ପରେ ଟ୍ରମ୍ପ୍‌ ଅଙ୍ଗୁଳି ଦେଖାଇଥିଲେ। ଭାନ୍ସ ଜେଲେନ୍‌ସ୍କିଙ୍କ ବ୍ୟବହାରକୁ ନାପସନ୍ଦ କରିବା ପରେ ଟ୍ରମ୍ପ୍‌ କହିଥିଲେ, ଯାହା ଚାଲିଛି ଆମେରିକୀୟମାନେ ତାକୁ ଦେଖିବା ଦରକାର। ଆପଣ କୃତଜ୍ଞ ହେବା ପରିବର୍ତ୍ତେ ଟେଲିଭିଜନ ସମ୍ମୁଖରେ ଡ୍ରାମା କରୁଛନ୍ତି।

ପ୍ରକାଶ ଯେ, ରିପବ୍ଲିକାନ୍‌ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିଦେବେ ବୋଲି କହିଥିଲେ। ଇତିମଧ୍ୟରେ ସେ ଜେଲେନ୍‌ସ୍କିଙ୍କୁ ଜଣେ ହାସ୍ୟାଭିନେତା ଓ ବିନା ନିର୍ବାଚନରେ ଏକଚ୍ଛତ୍ରବାଦୀ ଭାବେ ଅଭିହିତ କରି ଆମେରିକାଠାରୁ ସେ ଅନେକ ବିଲିୟନ ଡଲାର ଖସାଇ ନେଇଥିବା ସମାଲୋଚନା କରିଥିଲେ। ଏହାର ଜବାବରେ ଜେଲେନ୍‌ସ୍କି କହିଛନ୍ତି, ଟ୍ରମ୍ପ୍‌ ପୁଟିନ୍‌ଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ବିଭ୍ରାନ୍ତିକର ପରିବେଶରେ ଜୀଉଁଛନ୍ତି। ଏଭଳି ସମୟରେ ୟୁକ୍ରେନୀୟମାନେ ଆଶଙ୍କା କରୁଛନ୍ତି, ତରବରିଆ ଭାବେ କରାଯାଉଥିବା ଏହି ଶାନ୍ତି ଉଦ୍ୟମରୁ ରୁଷିଆ ଲାଭାନ୍ବିତ ହେବ। ରୁଷିଆର ଅନେକ ଦାବି ପୂରଣ ହେବା ଦ୍ୱାରା ମସ୍କୋ ପୁନର୍ବାର ଅସ୍ତ୍ର ଧରି ଭବିଷ୍ୟତରେ ୟୁକ୍ରେନ୍‌କୁ ଆକ୍ରମଣ କରିବାରେ ସକ୍ଷମ ହେବ।