ପୁଣି ଚର୍ଚ୍ଚାରେ ଭାରତୀ… ପାଣ୍ଡିଆନଙ୍କ ବିରୋଧରେ କହିଥିଲେ ବୋଲି ଚାକିରି ଛଡ଼ାଇ ନେଇଥିଲା ବିଜେଡି ସରକାର

ମୋହନଙ୍କ ପ୍ରଶଂସା କଲେ ଭାରତୀ । କହିଲେ ବିଜେଡି କରୁଥିଲା ମନମୁଖୀ ଶାସନ ।

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀ ସିଂ । ମୟୁର ଭଞ୍ଜ ବ୍ୟାଙ୍କ ମିତ୍ର ଭାବେ କାମ କରୁଥିବା ଭାରତୀ ସିଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା କରି ପୁଣି ଲୋକ ଲୋଚନକୁ ଆସିଛନ୍ତି ।

ପ୍ରଶଂସା: ମୁଖ୍ୟମନ୍ତ୍ରୀ ଉଦଳା ଗସ୍ତ ସମୟରେ ଭାରତୀଙ୍କୁ ଡକେଇ ତାଙ୍କ ସହ କଥା ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଭାରତୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ବିଜେଡି ସରକାରଙ୍କ ମନମୁଖୀ ଶାସନକୁ ନିନ୍ଦା କରିଛନ୍ତି ।

ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଥିଲେ: ୨୦୨୩ ମସିହା ସେପ୍ଟେମ୍ବରରେ ବ୍ୟାଙ୍କ ମିତ୍ର ଦରମା ବୃଦ୍ଧି ଦାବି ନେଇ ଓଡ଼ିଶା ବ୍ୟାଙ୍କ ମିତ୍ର ଧାରଣାରେ ବସିଥିବାବେଳେ ଭାରତୀ ସେ ସମୟର ସରକାରଙ୍କ ବିରୋଧରେ ମନ୍ତବ୍ୟ ନେଇ ଫସିଥିଲେ ।

ସେ କହିଥିଲେ, ଯୋଜନା କରି ଲୋକଙ୍କୁ ଭଣ୍ଡାଇବା ଅପେକ୍ଷା ୫ଟି ସଚିବ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ ଟଙ୍କା ଯଦି ଲୋକଙ୍କ କଲ୍ୟାଣରେ ଲଗାଯାଆନ୍ତା ତେବେ ଅନେକ ଗରିବ ଉପକୃତ ହୁଅନ୍ତେ ।

ଜୋର୍ ପ୍ରତିବାଦ୍ ହୋଇଥିଲା: ଏହାପରେ କାର୍ଯ୍ୟରେ ଅନୀୟମିତତା ଦର୍ଶାଇ ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏ ନେଇ ଜୋର ପ୍ରତିବାଦ ହେବା ପରେ ପୁଣିଥରେ ଭାରତୀ ଚାକିରି ଫେରି ପାଇଥିଲେ ।