ରେସ୍ତୋରାଁରେ ଖାଇବା ବିଲ୍ ଦେବା ସମୟରେ ଯୁବକଙ୍କୁ ଆସିଲା ହାର୍ଟ ଆଟାକ୍, ମୁହୂର୍ତ୍ତକରେ ଚାଲିଗଲା ପ୍ରାଣ
ରାଜସ୍ଥାନର ଏକ ହୋଟେଲରେ ଯୁବକଙ୍କୁ ହାର୍ଟ ଆଟାକ୍ । ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ଦେଶରେ ହୃଦଘାତର ବଢ଼ୁଥିବା ମାମଲା ଯୋଗୁଁ ଲୋକମାନେ ଭୟଭୀତ ହୋଇ ରହୁଛନ୍ତି । ସୁସ୍ଥ ଜୀବନଶୈଳୀ ସତ୍ତ୍ୱେ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏପରି ମୃତ୍ୟୁର ଗ୍ରାଫ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏକ ମାମଲା ରାଜସମନ୍ଦ ଜିଲ୍ଲାରୁ ଆସିଛି ।
ଜଣେ ୨୭ ବର୍ଷୀୟ ଯୁବକଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଛି । ଏହି ସମ୍ପୂର୍ଣ୍ଣ ଘଟଣାଟି ସେହି ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।
ବିଲ୍ ଦେବା ସମୟରେ ଆସିଲା ହାର୍ଟଆଟାକ୍- ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ୨୭ ବର୍ଷୀୟ ସଚିନ ବୋଲି ଚିହ୍ନଟ ହୋଇଛନ୍ତି । ସେ ରାଜସମନ୍ଦ ପୌର ପରିଷଦରେ ଜଣେ ସଫେଇ କର୍ମଚାରୀ ଭାବରେ ନିଯୁକ୍ତ ଥିଲେ । ସେ ଜିଲ୍ଲାର ଟିଭିଏସ ଛକରେ ଅବସ୍ଥିତ କେଲଭା ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ, ତା’ପରେ ସେ ବିଲିଂ କାଉଣ୍ଟରକୁ ଯାଇଥିଲେ ଏବଂ ତାଙ୍କୁ ବିଲ୍ ଦିଆଯାଇଥିଲା।
ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ଠିକ୍ ଥିଲେ । ବିଲ୍ ଦେଖିବା ପରେ, ସେ ତାଙ୍କ ପର୍ସରୁ ଟଙ୍କା ବାହାର କରିବା ମାତ୍ରେ ହଠାତ୍ ତଳେ ପଡ଼ିଗଲେ ଏବଂ ମୃତ୍ୟୁବରଣ କଲେ । ସମଗ୍ର ଘଟଣାଟି ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ଏହି ଘଟଣାଟି ମାର୍ଚ୍ଚ ୧ ତାରିଖରେ ଘଟିଥିବା କୁହାଯାଉଛି ।
ତେବେ ତାଙ୍କୁ ହୋଟେଲ କର୍ମଚାରୀ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।