ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ, ୧୯ରୁ ଖାତା ଦେଖା

ଓଡିଶା ଭାସ୍କର: ଆଜି ସରିବ ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପରୀକ୍ଷା ଚାଲିବ ।

 

ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ସରିବ । ପୂର୍ବରୁ ଗଣିତ ଓ ଇଂରାଜୀ ଭଳି କଷ୍ଟକର ବିଷୟର ପରୀକ୍ଷା ସରିଯାଇଛି । ତେଣୁ ଆଜି ଚାପମୁକ୍ତ ହୋଇ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

 

ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା । ମାର୍ଚ୍ଚ ୧୯ରୁ ପାଖାପାଖି ୧୩ ଦିନ ଧରି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାଙ୍କନ ହେବ । ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଦଶମ ରେଜଲ୍ଟ ପ୍ରକାଶ ପାଇବ।

 

ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ପିଲା ମାଟ୍ରିକ ବୋର୍ଡ ପରୀକ୍ଷା ଦେଉଛନ୍ତି । ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଛି । ସୁରୁଖୁରରେ ପରୀକ୍ଷା ଶେଷ କରିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଛି ।

 

ଏହାଛଡା ପରୀକ୍ଷା କେନ୍ଦ୍ରରେ ଯେମିତି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଂ ସ୍କ୍ୱାଡ୍‌, ସେଣ୍ଟ୍ରାଲ ଅବ୍‌ଜରଭର୍‌ ଓ ଜିଲ୍ଲା ସ୍ତରୀୟ ପର୍ୟ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି । କମାଣ୍ଡ କଟ୍ରୋଲ ରୁମ୍‌ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋର୍ଡ ସଭାପତି ।