ମୁହଁରେ ଟେପ୍ ଲଗାଇ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ! ଦେଖାଦେଇପାରେ ଏହି ଗମ୍ଭୀର ସମସ୍ୟା
ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି ପାଟିରେ ଟେପ୍ ଲଗାଇ ଶୋଇବା । ଜାଣନ୍ତୁ ଏହା ସ୍ବାସ୍ଥ୍ୟ ପ୍ରତି କେତେ କ୍ଷତିକାରକ
ଭୁବନେଶ୍ବର: ଦିନକୁ ଦିନ ସୋସିଆଲ ମିଡିଆରେ ଏକ ନୂଆ ଟ୍ରେଣ୍ଡ ରହିଥାଏ । ବର୍ତ୍ତମାନ ଟ୍ରେଣ୍ଡରେ ରହିଛି ମୁହଁରେ ଟେପ୍ ମାରି ଶୋଇବା । ଲୋକମାନେ ମୁହଁରେ ଟେପ୍ ବାନ୍ଧି ଶୋଇଛନ୍ତି । ଏହା ଭଲ ନିଦ ଆଣିବାରେ ସାହାଯ୍ୟ କରେ, ଶ୍ୱାସକ୍ରିୟା ସମସ୍ୟାରୁ ମୁକ୍ତି ଦିଏ ବୋଲି ଦାବି କରାଯାଏ ।
ଅନେକ ଯୁବପିଢ଼ି ଏହି ଧାରା ଆପଣାଇବା ଆରମ୍ଭ କରିଛନ୍ତି । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ କେଉଁ ପ୍ରକାର ପ୍ରଭାବ ପକାଇବ ତାହା ନଜାଣି ବ୍ୟବହାର କରିଥାନ୍ତି ।
ମୁହଁରେ ଟେପ୍ ଲଗାଇ ଶୋଇବାର ଫାଇଦା-
ଟେପ୍ ଲଗାଇବା ଦ୍ୱାରା ମୁହଁ ବନ୍ଦ ରହିଥାଏ, ଯାହା ବ୍ୟକ୍ତିକୁ ନାକ ଦେଇ ନିଶ୍ୱାସ ନେବାକୁ ବାଧ୍ୟ କରେ ଏବଂ ଏହା ଘୁଙ୍ଗୁଡ଼ି ମାରିବା ହ୍ରାସ କରିପାରେ ।
ମୁହଁ ଖୋଲା ରଖିବା ଦ୍ୱାରା କେତେକ ସମୟରେ ରାତିରେ ପାଟି ଶୁଖିଯାଏ, ଯାହା ଦ୍ଵାରା ଅଧିକ ତୃଷା ଲାଗେ । ଟେପ୍ ଲଗାଇବା ଦ୍ୱାରା ଏହି ସମସ୍ୟା କମିପାରିବ ।
କିଛି ଲୋକ ଦାବି କରନ୍ତି ଯେ ପାଟିରେ ଟ୍ୟାପ୍ ଲଗାଇବା ଦ୍ୱାରା ନିଦର ଗୁଣବତ୍ତା ଉନ୍ନତ ହୁଏ ଏବଂ ଗଭୀର ନିଦ ହୁଏ ।
ସ୍ବାସ୍ଥ୍ୟପକ୍ଷେ କେତେ କ୍ଷତିକାରକ- ଯଦି କାହାର ନାକ ବନ୍ଦ ହେବା କିମ୍ବା ନିଦ ସମୟରେ ନିଶ୍ବାସ ନେବାରେ ସମସ୍ୟା ଅଛି, ତେବେ ଏହି ଧାରା ବହୁତ ବିପଦଜନକ ହୋଇପାରେନ। ଏହା କରିବା ଦ୍ୱାରା ହଠାତ୍ ଅମ୍ଳଜାନର ଅଭାବ ହୋଇପାରେ, ଯାହା ଶ୍ୱାସରୋଧ କିମ୍ବା ନିଶ୍ୱାସ ନେବାରେ କଷ୍ଟ ସୃଷ୍ଟି କରିପାରେ ।
ପ୍ରତିଦିନ ଟେପ୍ ଲଗାଇବା ଦ୍ୱାରା ଓଠର ଚର୍ମ କ୍ଷତିଗ୍ରସ୍ତ ହୋଇପାରେ, ଯାହା ଫଳରେ ଆଲର୍ଜି, ଚିଡ଼ଚିଡ଼ା କିମ୍ବା ଫୁଲା ହୋଇପାରେ ।
ହଠାତ୍ କାଶ, ବାନ୍ତି ଅନୁଭବ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିରେ, ପାଟିରେ ଟେପ୍ ବାନ୍ଧିବା ବିପଦକୁ ବଢ଼ାଇପାରେ ।