ନୂଆଦିଲ୍ଲୀ: ୟୁରୋପୀୟ ସଂଘ ନିଜର ୪୫୦ ନିୟୁତ ନାଗରିକଙ୍କୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି । ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସଂଘ ଲୋକମାନଙ୍କୁ ଅତି କମରେ ୭୨ ଘଣ୍ଟା ପାଇଁ ଖାଦ୍ୟ, ପାଣି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ମହଜୁଦ ରଖିବାକୁ କହିଛି ।
ନାଟୋ ମହାସଚିବ ମାର୍କ ରୁଟ୍ ଚେତାବନୀ ଦେଇଛନ୍ତି ଯେ, ୨୦୩୦ ସୁଦ୍ଧା ରୁଷର ୟୁରୋପ ଉପରେ ଆକ୍ରମଣ କରିବାର କ୍ଷମତା ରଖିଛି । ତାଙ୍କ ଚେତାବନୀ ପରେ ୟୁରୋପୀୟ ଦେଶମାନଙ୍କରେ ଚିନ୍ତା ବୃଦ୍ଧି ପାଇଛି । ଫ୍ରାନ୍ସ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଅନେକ ନାଟୋ ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।
ନାଟୋ ସେକ୍ରେଟାରୀ ଜେନେରାଲଙ୍କ ରୁଷକୁ କଡ଼ା ଚେତାବନୀ :
ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ୱାର୍ସାରେ ଚେତାବନୀ ଦେଇଛନ୍ତି ଯେ, “ଯଦି କେହି ଭାବନ୍ତି ଯେ ସେମାନେ ପୋଲାଣ୍ଡ କିମ୍ବା ଅନ୍ୟ କୌଣସି ସହଯୋଗୀ ଦେଶ ଉପରେ ଆକ୍ରମଣ କରି ଖସି ଯାଇପାରିବେ, ତେବେ ସେମାନେ ନାଟୋର ପୂର୍ଣ୍ଣ ଶକ୍ତିର ସମ୍ମୁଖୀନ ହେବେ । ଆମର ପ୍ରତିକ୍ରିୟା ବିନାଶକାରୀ ହେବ ।’
ୟୁକ୍ରେନୀୟ ସହର ସୁମି ଉପରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଅନେକ ଲୋକଙ୍କ ମୃତ୍ୟୁ ହେବାର କିଛି ଘଣ୍ଟା ପରେ ତାଙ୍କର ଏହି ବୟାନ ଆସିଛି । ସେ ଆହୁରି କହିଛନ୍ତି, ‘ଏହା ଭ୍ଲାଦିମିର ପୁଟିନ ଏବଂ ଆମ ଉପରେ ଆକ୍ରମଣ କରିବାକୁ ଚିନ୍ତା କରୁଥିବା ସମସ୍ତ ଲୋକଙ୍କୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ ।’ ୟୁରୋପୀୟ ସଂଘର ଚେତାବନୀ ରୁଷର ସମ୍ଭାବ୍ୟ ଆକ୍ରମଣ ସହିତ ସିଧାସଳଖ ଜଡିତ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।