ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ମେ ୩ ତାରିଖରେ ସାଧାରଣ ନିର୍ବାଚନରେ ଭୋଟ୍ ଦିଆଯିବ, ଯେଉଁଥିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବାସଗୃହ ଅଭାବ ପ୍ରମୁଖ ନିର୍ବାଚନ ପ୍ରସଙ୍ଗ ହୋଇପାରେ । ଦେଶର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ବାମପନ୍ଥୀ ‘ଲେବର ପାର୍ଟି’ ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଚେଷ୍ଟା କରୁଛି ।
ଶୁକ୍ରବାର ଦିନ ଆଲବାନିଜ୍ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଗଭର୍ଣ୍ଣର ଜେନେରାଲ ସାମ୍ ମୋଷ୍ଟିନଙ୍କ ସରକାରୀ ବାସଭବନକୁ ଯାଇଥିଲେ ଏବଂ ପରେ ସଂସଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ ।
ପ୍ରଧାନମନ୍ତ୍ରୀ ଆଲବାନିଜ କଣ କହିଛନ୍ତି?
ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ କହିଛନ୍ତି, “ଆମର ସରକାର ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅଷ୍ଟ୍ରେଲିୟ ପଥ ବାଛିଛି । ଭବିଷ୍ୟତ ପାଇଁ ନିର୍ମାଣ କରିବା ସମୟରେ ଜୀବନଯାପନ ଖର୍ଚ୍ଚର ଚାପର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସାହାଯ୍ୟ କରିବାର ଏହା ଏକ ଉପାୟ ।’ ବର୍ତ୍ତମାନ, ଆଣ୍ଟୋନି ଆଲବାନିଜଙ୍କ ଲେବର ପାର୍ଟିର ନିମ୍ନ ସଦନରେ ୭୮ ଟି ଆସନ ଅଛି ଏବଂ ଏହା ଦୁଇଟି ଆସନର ବହୁମତ ସହିତ ସରକାର ପରିଚାଳନା କରୁଛି ।