କାର ଭିତରେ ବସିଥିଲା ଯମ… ୨ କୁନି ଝିଅ ଖେଳିଲାବେଳେ ହଠାତ୍ ଲକ୍ ହୋଇଗଲା ଡୋର୍, ଶ୍ୱାସ ରୁଦ୍ଧ ହୋଇ…
୨ ଘଣ୍ଟାରେ ଚାଲିଗଲା ୨ଟା ଜୀବନ । ବାହାଘରକୁ ଆସିଥିଲେ ଶବ ହୋଇ ଫେରିଲେ ।
ହାଇଦ୍ରାବାଦ: କାର ଭିତରେ ଖେଳିଲାବେଳେ ଚାଲିଗଲା ୨ ଭଉଣୀଙ୍କ ଜୀବନ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ତେଲଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାର ଏ ଘଟଣା ।
ଦାମରଗିଦ୍ଦା ଗାଁରେ ୨ ସମ୍ପର୍କୀୟ ଭଉଣୀ କାର୍ ଭିତରେ ଖେଳୁଥିଲେ । ସେମାନେ ବାହାଘର ପାଇଁ କୁଣିଆ ଘର ଯାଇଥିବାବେଳେ କୁଣିଆ ଘର ପାର୍କିଂରେ କାରଟି ଥୁଆ ହୋଇଥିଲା ।
ପ୍ରାଣ ହରାଇଥିବା ୨ ଭଉଣୀହେଲେ, ତନ୍ମୟୀ ଶ୍ରୀ ଓ ଅଭିନୟା ଶ୍ରୀ । ସମୟ ପାଖାପାଖି ୧୨ଟାବେଳେ ଦି ଭଉଣୀ କାର୍ ଭିତରକୁ ଖେଳିବା ପାଇଁ ଗଲେ । ପ୍ରାୟ ୨ଟାବେଳକୁ ଘରଲୋକେ ଦୁଇ ଝିଅଙ୍କୁ ଖୋଜି ଖୋଜି କାର ପାଖରେ ପହଞ୍ଚିଲେ ।
କାର ଡୋର୍ ଭାଙ୍ଗି ଦେଖିଲାବେଳେକୁ ୨ କୁନି ଝିଅ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି । ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନା ନିଆଯାଇଥିଲା ।
ଯେଉଁଠାରେ ଡାକ୍ତର ୨ ଝିଅଙ୍କୁ ମୃତ ବୋଲି ଘୋଷଣା କଲେ । ପରିବାର ଲୋକ ବାହାଘରରେ ଯୋଗ ଦେବା ଲାଗି ଯାଇଥିଲେ । ସୂଚନା ମୁତାବକ କାର ଭିତରେ ଖେଳିଲାବେଳେ ହଠାତ୍ ଡୋର୍ ଲକ୍ ହୋଇଯାଇଥିଲା ।