ଗରମ ଦିନେ ଏହି ଖାଦ୍ୟକୁ ନିଜ ଠାରୁ କରନ୍ତୁ ଦୂର, ଯିବାକୁ ପଡ଼ିବନି ହସ୍ପିଟାଲ
ଖରାଦିନେ ଖାଆନ୍ତୁ ନାହିଁ ଏହି ଜିନିଷ, ପାଖ ମାଡ଼ିବନି ରୋଗ
ଓଡ଼ିଶା ଭାସ୍କର: ଖାଦ୍ୟପେୟକୁ ଯଦି ଆପଣ ଠିକ ଭାବେ ନ ରଖିଲେ ତେବେ, ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଅତ୍ୟଧିକ ଗରମରେ ଥଣ୍ଡା ଜିନିଷ ଖାଇବା ଦ୍ୱାରା ମଧ୍ୟ ସମସ୍ୟା ଆହୁରି ବଢ଼ିଯାଇପାରେ। ତେଣୁ ଏପରି ସ୍ଥିତିରେ ଆପଣ ଖାଦ୍ୟପେୟକୁ ନେଇ ବହୁତ ସଚେତନ ହେବା ଜରୁରୀ।
ଗ୍ରୀଷ୍ମଦିନେ ଫାଷ୍ଟଫୁଡ୍ କିମ୍ବା ଷ୍ଟ୍ରିଟ୍ ଫୁଡ୍ ଫୁଡ୍ ପଏଜନିଙ୍ଗ୍ର ମୁଖ୍ୟ କାରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ୫ଟି ଖାଦ୍ୟ ବିଷୟରେ କହିବୁ, ଯାହାଠୁ ଆପଣ ଦୂରେଇଯିବା ଉଚିତ୍, ନଚେତ୍ ଏହା ଆପଣଙ୍କୁ ଖରାଦିନେ ଅସୁସ୍ଥ କରିଦେଇପାରେ।
ଆମିଷ: ଖରାଦିନେ ଅଧିକ ଭାରୀ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଆପଣ ଯେତେ ସମ୍ଭବ ଶାକାହାରୀ ଖାଦ୍ୟ ଖାଆନ୍ତୁ ଏବଂ ମାଂସାହାରୀ ଖାଦ୍ୟଠୁ ଦୂରେଇ ରୁହନ୍ତୁ। ମାଛ, ଚିକେନ୍, ମାଂସ, ସାମୁଦ୍ରିକ ଖାଦ୍ୟ ଆଦି କମ୍ ମାତ୍ରାରେ ହିଁ ସେବନ କରନ୍ତୁ। ଆମିଷ ଖାଦ୍ୟରେ ଅଧିକ ତେଲ, ମସଲା ବ୍ୟବହୃତ ହୋଇଥାଏ, ଯାହାକି ପେଟରେ ଉତ୍ତାପ ସୃଷ୍ଟି କରିଥାଏ। ଏହି ପ୍ରକାର ଖାଦ୍ୟ ଖାଇବା ପରେ ଆପଣଙ୍କୁ ଡାଇରିଆ ମଧ୍ୟ ହୋଇପାରେ।
ତେଲିଆ ବା ମସଲାଯୁକ୍ତ ଖାଦ୍ୟ: ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ। ଅଧିକ ମସଲା ଶରୀରରେ ଉତ୍ତାପ ବଢ଼ାଇ ଦେଇଥାଏ, ଯଦ୍ଦ୍ଵାରା ଶରୀରରେ ମେଟାବଲିଜିମ୍ ବୃଦ୍ଧି ଘଟିଥାଏ। ତେଣୁ ଆପଣଙ୍କୁ ଏହିଦିନେ କମ୍ ତେଲ, ମସଲାଯୁକ୍ତ ଜିନିଷ ଖାଇବା ଉଚିତ୍।
ଚା’ ଓ କଫି: ଗ୍ରୀଷ୍ମ ଦିନେ ଚା’ ଓ କଫି ପିଇବାଠାରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ କଫିନ୍ ସେବନ ଦ୍ୱାରା ଶରୀରରେ ଉତ୍ତାପ ଉତ୍ପନ୍ନ ହୋଇଥାଏ। ଏଥିସହ ଚା’ ଓ କଫି ଅଧିକ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖା ଦେଇପାରେ। ଏହି ଦୁଇଟି ପାନୀୟ ପିଇଲେ ଶୋଷ କମ୍ ଲାଗିଥାଏ, ତେଣୁ ଖରାଦିନେ ସମସ୍ୟା ଆହୁରି ବଢ଼ିଯାଇଥାଏ।
ଜଙ୍କ୍ ବା ଷ୍ଟ୍ରିଟ୍ ଫୁଡ୍: ଜଙ୍କ୍ ଫୁଡ୍ ଆପଣଙ୍କୁ ଫୁଡ୍ ପଏଜନିଙ୍ଗ୍ ସମସ୍ୟାରେ ପକାଇପାରେ। କାହିଁକି ନା, ଖରାଦିନେ ଏପରି ଖାଦ୍ୟ ହଜମ ହେବାରେ ମୁସ୍କିଲ ହୋଇଥାଏ। ବାହାରର ଷ୍ଟ୍ରିଟ୍ ଫୁଡ୍ ମଧ୍ୟ ବିଲ୍କୁଲ ଖାଇବା ଉଚିତ ନୁହେଁ। ଏଥିରୁ ସଂକ୍ରମଣ ହେବାର ସମ୍ଭାବନା ବହୁତ ଅଧିକ ଥାଏ। ଏହି ପ୍ରକାର ଖାଦ୍ୟ ଖାଇବା ପରେ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଏପରି କି, ଆପଣଙ୍କୁ ଝାଡ଼ା, ବାନ୍ତି ସମସ୍ୟା ମଧ୍ୟ ହୋଇପାରେ।
ସସ୍ ଓ ଚଟଣି: ଏହିଦିନେ ଅତ୍ୟଧିକ ସସ୍ ଏବଂ ଚଟଣି ଖାଆନ୍ତୁ ନାହିଁ। ଏହା ଶରୀରକୁ ଅଳସୁଆ କରିଦେଇଥାଏ। ସସ୍ରେ ଅଧିକ ମାତ୍ରରେ ଲୁଣ ଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଚଟଣିରେ ମସଲା ଏବଂ ଲଙ୍କା ଅଧିକ ଥିବାରୁ ଏହା ପେଟରେ ସମସ୍ୟା ସୃଷ୍ଟି କରିଥାଏ।