ବହିଷ୍କୃତ IAS ପୂଜା ଖେଡକରଙ୍କୁ ପୁଣି ମିଳିଲା ଆଶ୍ୱସ୍ତି, ଗିରଫଦାରୀକୁ ମେ ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ପୂର୍ବରୁ ଗିରଫଦାରୀରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ରହିତାଦେଶ ଦିଆଯାଇଥିଲା, ଏବେ ସୁପ୍ରିମକୋର୍ଟ ଗିରଫଦାରୀ ଉପରେ ସର୍ତ୍ତମୂଳକ ସ୍ଥଗିତାଦେଶକୁ ୨୧ ମଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସୁପ୍ରିମକୋର୍ଟ ପୂଜା ଖେଡକରଙ୍କୁ କହିଛନ୍ତି ଯେ, ମେ ୨ ତାରିଖରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବେ, ନଚେତ୍ ଆମେ ତାଙ୍କ ଗିରଫଦାରୀ ଉପରେ ଲାଗିଥିବା ସ୍ଥଗିତାଦେଶ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇପାରିବୁ।

ତେବେ ଖେଡକରଙ୍କ ବିରୁଦ୍ଧରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଠକେଇ ଏବଂ OBC ଏବଂ ଦିବ୍ୟାଙ୍ଗ କୋଟାର ଅନୁଚିତ ଫାଇଦା ଉଠାଇବାର ଅଭିଯୋଗ ଅଛି।

ବିଚାରପତି ବିଭି ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ୨୧ ମଇରେ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ଖେଡକରଙ୍କ ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ କୌଣସି ଠୋସ୍ ତଦନ୍ତ କରାଯାଇ ନାହିଁ ଏବଂ ଦିଲ୍ଲୀ ପୋଲିସକୁ ତଦନ୍ତ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।