ଯେଉଁ ସମୟରେ ଟିଭି ସ୍କ୍ରିନରେ ଚାଲିଥିଲା ଅଜୟଙ୍କ ପ୍ରୋଗ୍ରାମ, ସେହି ସମୟରେ ବ୍ରେକିଂରେ ଚାଲିଥିଲା ମୃତ୍ୟୁ ଖବର

କଣାସ,୨୧ା୪: ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି ଗ୍ରେଟ୍ ଓଡ଼ିଶା ପଲଟିକାଲ ସର୍କସ’ର ଲୋକପି୍ରିୟ ଅଭିନେତା ଅଜୟ ନାୟକ ଆଉ ନାହାନ୍ତି ।  ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ରବିବାର ପୁରୀ ଜିଲା କଣାସସ୍ଥିତ ତାଙ୍କ ଗାଁରେ ହାର୍ଟହାଟାକରେ ତାଙ୍କର ପରଲୋକ ଘଟିଛି । ତେବେ ଦର୍ଶମାନେ ତାଙ୍କର ଏହି ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ସବୁଠୁ ଦୁଃଖଦାୟକ କଥା ହେଉଛି, ଅଜୟଙ୍କ ଦି ଗ୍ରେଟ୍ ପଲଟିକାଲ ସର୍କସ କାର୍ଯ୍ୟକ୍ରମ ଯେତେବେଳେ ଟିଭି ସ୍କି୍ରନରେ ଚାଲିଥିଲା ଠିକ୍ ସେହି ସମୟରେ ଅଜୟଙ୍କ ଦୁଃଖଦ ମୃତ୍ୟୁ ଖବର ଟିଭି ସ୍କି୍ରନରେ ବ୍ରେକିଂରେ ଚାଲିଥିଲା । ଯାହା ଦେଖି ଦର୍ଶକ ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲେ । ସମସ୍ତଙ୍କ ହସାଇ ହସାଇ ବେଦମ କରୁଥିବା ଅଜୟ ଯେ, ଅବେଳରେ ଝଡ଼ିଯିବେ ତାହା କେହି କଳ୍ପନା କରିପାରୁନାହାନ୍ତି । କାଲିର ଏହି ମୃତ୍ୟୁ ଖବର ପାଇବା ପରେ ଆଜି ଅଜୟଙ୍କ ଘରକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ ।

ଟେଲରିଂରୁ ହାସ୍ୟ କଳାକାର ଭାବେ ସେ ଟିଭି ପରଦାକୁ ଆସିଥିଲେ । ଦୀର୍ଘ ୧୫ ବର୍ଷ ଧରି ସେ ବ୍ୟଙ୍ଗ କଳାକାର ଭାବେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିଲେ । ଯେଉଁ ଚରିତ୍ରରେ ବ୍ୟଙ୍ଗାତ୍ମକ ଅଭିନୟ କରୁଥିଲେ ଅତି ନିଖୁଣ ଭାବେ କରୁଥିଲେ । ତାଙ୍କର ଏହି ହାସ୍ୟ ଢଙ୍ଗ ଦେଖିବାକୁ ଦର୍ଶକ ଟିଭିକୁ ସେମିତି ଚାହିଁ ରହୁଥିଲେ । ହେଲେ ଆଜି ଆଉ ଅଜୟ ଦେଖାଯିବେନି । ଯଦି କେବେ କାର୍ଯ୍ୟକ୍ରମ ପ୍ରସାରଣ ହୁଏ ଦେଖାଯିବ ତାଙ୍କ ପୁରୁଣା ଅଭିନୟ । ସେ ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛନ୍ତି ଅଫେରା ରାଇଜକୁ । ଗାଁ ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁଅ ଏବେ ମାଟି୍ରକରେ ପଢୁଥିବା ଜଣାପଡ଼ିଛି ।