World Health Organizationରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ , ପ୍ରଥମେ ପଡ଼ିବ ବରିଷ୍ଠ କର୍ମଚାରୀଙ୍କ ପାଳି
କମ୍ କର୍ମଚାରୀରେ ଚାଲିବ ସଙ୍ଗଠନ । କର୍ମଚାରୀଙ୍କୁ ବାହାର କରିବା ଅତ୍ୟନ୍ତ କଷ୍ଟକର କହିଲେ ଟେଡ୍ରୋସ୍ ।
ସ୍ୱିଜରଲ୍ୟାଣ୍ଡ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ । ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ସଙ୍ଗଠନର ମୁଖ୍ୟ । ଏହାପଛର ମୁଖ୍ୟ କାରଣ ହେଉଛନ୍ତି ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପଣ୍ଡିଂ କରିବା ପାଇଁ ମନା କରିଦେବା ପରେ ସଙ୍ଗଠନରେ ଆର୍ଥିକ ମନ୍ଦାବସ୍ଥା ଦେଖିବାକୁ ମିଳିଛି । ଯେଉଁ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ଆମେରିକା ଦ୍ୱାରା ଡବ୍ଲୁ୍ୟଏଚଓ ଅଧିକ ମାତ୍ରାରେ ଲାଭବାନ୍ ହେଉଥିଲା । କିନ୍ତୁ ଟ୍ରମ୍ପ ସଙ୍ଗଠନରୁ ଓହରିବା ନେଇ ଘୋଷଣା କରିବା ପରେ କର୍ମଚାରୀ ସଂଖ୍ୟା କମାଇବା ନେଇ ନିଷ୍ପତ୍ତି ନିଆଯାଇଥିବା ସଙ୍ଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରେୟେସସ୍ କହିଛନ୍ତି ।
ଆମେରିକା ଆର୍ଥିକବର୍ଷ ୨୦୨୨-୨୩ରେ ଡବ୍ଲୁ୍ୟଏଚଓକୁ ୧.୩ ବିଲିୟନ୍ ଡଲାର ପାଣ୍ଠି ଯୋଗାଇଥିବାବେଳେ କିନ୍ତୁ ଗତବର୍ଷ ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ୱାଶିଂଟନ୍ ପକ୍ଷରୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ ।
ଆର୍ଥିକ ସହାୟତା କମିବା କାରଣରୁ ସଙ୍ଗଠନ ମୁଖ୍ୟ ନୂଆ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ଅନ୍ୟ ସଦସ୍ୟ ଓ ଷ୍ଟାଫ୍ଙ୍କ ସହ ଆଲୋଚନା ହୋଇସାରିଥିବା ଜଣାଇଛନ୍ତି ।
ବିଶ୍ୱବ୍ୟାପୀ ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୫% କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବ । ଯାହାକୁ ନେଇ ଏହାର ମୁଖ୍ୟ ଟେଡ୍ରୋସ୍ ସ୍ପଷ୍ଟ କରିଛନ୍ତି । ପାଖାପାଖି ୮୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବ ।
କର୍ମଚାରୀମାନଙ୍କୁ ବାହାର କରିବା ଅତ୍ୟନ୍ତ କଷ୍ଟ ଦାୟକ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ଜେନେଭାରୁ ଏହି ଛଟେଇ ଆରମ୍ଭ ହେବାକୁ ଥିବାବେଳେ ସିନିୟର ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ଆଡୁ ଏହା ଆରମ୍ଭ ହେବ ।