(Video) ‘୩ ଥର କଲାମ ବୋଲିବାକୁ କହିଲେ, ଯିଏ ନ ବୋଲିଲେ..’, ପହଲଗାମ୍‌ର ଛାତିଥରା କାହାଣି ବଖାଣିଲେ କୁନି ପୁଅ

କୁନି ପୁଅ ପାଟିରେ ପହଲଗାମ୍ ଛାତି ଥରା କାହାଣି

ନୂଆଦିଲ୍ଲୀ: ପହଲଗାମରେ ଅତଙ୍କବାଦୀଙ୍କ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । ସେମାନଙ୍କୁ ଉଚିତ୍ ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହାରି ମଧ୍ୟରେ ଏକ କୁନି ଶିଶୁର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ସେହି ଆକ୍ରମଣର ଭୟଙ୍କର ଦୃଶ୍ୟ ବିଷୟରେ କହୁଛନ୍ତି ।

ତାଙ୍କ ବାପାଙ୍କୁ ଆତଙ୍କବାଦୀ କଣ କହି ଗୁଳି କରି ହତ୍ୟା କରିଥିଲେ ସେ ଏହି ଭିଡିଓରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବାପା, ମାଆଙ୍କ ସହ ଆମେ ଦୁଇ ଭାଇଭଉଣୀ ବୁଲି ଯାଇଥିଲୁ । ମିନି ସ୍ୱିଜରଲାଣ୍ଡର ଅନୁଭୂତି ନେଇ ଫେରିବାର ଆଶା ଥିଲା । ହେଲେ ସେଠାରେ ହଠାତ ଗୁଳିର ଶବ୍ଦ ଶୁଭିଲା, ଏହା ଦେଖି ଆମେ ଲୁଚିବାକୁ ଚେଷ୍ଟା କଲୁ ।

ସେ ଆହୁରି କହିଛନ୍ତି ଯେ, ୨ ଜଣ ଆସିଲେ, କିଏ ହିନ୍ଦୁ, କିଏ ମୁସଲମାନ ପଚାରିଲେ । ୩ ଥର କଲାମ ବୋଲିବାକୁ କହିଲେ, ଯିଏ ନ ବୋଲିଲେ ତାଙ୍କୁ ଫାୟରିଂ କଲେ । ମୁଁ ୨ ଜଣ ଆତଙ୍କବାଦୀଙ୍କୁ ଦେଖିଛି, ମୁସଲିମ କ୍ୟାପ୍ ପିନ୍ଧିଥିଲେ । ମୁଣ୍ଡ କ୍ୟାପରେ କ୍ୟାମେରା ଲାଗିଥିଲା, ଫାୟାରିଂ ସହ ସୁଟିଂ କରୁଥିଲେ । ମହିଳା ଓ ପିଲାଙ୍କୁ ନ ମାରି ଛାଡ଼ି ଦେଉଥିଲେ ।