କଳିଙ୍ଗନଗର ହେବ ଭାରତର ଷ୍ଟିଲ ହବ୍
ଯାଜପୁର କଳିଙ୍ଗନଗର ହେବ ଭାରତର ଷ୍ଟିଲ ହବ୍ । 1 ଲକ୍ଷ 15 ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଓଡ଼ିଶାର ସମୃଦ୍ଧି ଶିଳ୍ପ ଇତିହାସରେ ଯୋଡ଼ିହେଲା ଆଉ ଏକ ପୃଷ୍ଠା । ଯାଜପୁର କଳିଙ୍ଗନଗର ହେବ ଭାରତର ଷ୍ଟିଲ ହବ୍ । ଆଜି 1 ଲକ୍ଷ 15 ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।
49 ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ 66 ହଜାର କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଏପଟେ 36 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଛି । କଳିଙ୍ଗନଗର କେବଳ ଓଡ଼ିଶାର ନୁହେଁ, ସାରା ଭାରତର ଷ୍ଟିଲ ହବ୍ ହେବ ବୋଲି କୁହାଯାଉଛି ।
ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟତମ ଅତିଥିଭାବେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ନେଇ ସୂଚନା ମିଳିଛି ।
ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ଏସ ପି ଏସ ପ୍ରତାପ ଶ୍ରୀମହଲ ନିର୍ଦେଶ କ୍ରମେ ତିନି ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପାଞ୍ଚ ଜଣ ଡି ଏସ ପି, 15ଜଣ ଇନ୍ସପେକ୍ଟରଙ୍କ ସହ 24ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।
ଏପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଏମଓ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖାଯାଇଛି କି, “ପୂର୍ବ ଭାରତରେ ଶିଳ୍ପର ହବ୍ ପାଲଟିଛି ଓଡ଼ିଶା। ପ୍ରଗତିଶୀଳ ନୀତି ଓ ସୁଦୃଢ଼ ଭିତ୍ତିଭୂମି ଦ୍ୱାରା ବିଶ୍ୱସ୍ତରୀୟ ବିନିଯୋଗ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଏକ ଅଗ୍ରଣୀ ଅର୍ଥନୈତିକ କେନ୍ଦ୍ର ପାଲଟିଛି। ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ଉଦଘାଟନ ଏବଂ ଭୂମିପୂଜନ ହେଉଥିବା ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ଆହୁରି ମଜଭୁତ କରିବା ସହ ନୂତନ ରୋଜଗାର ସୃଷ୍ଟି କରି ସ୍ଥାନୀୟ ଯୁବକଯୁବତୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ ।”
ଏହା ସହିତ ପୁଣି ଲେଖାଯାଇଛି କି, “ଯାଜପୁର କଳିଙ୍ଗ ନଗରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଧିକ ପୁଞ୍ଜିନିବେଶ ସହ ଓଡ଼ିଶାରେ ଶିଳ୍ପ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି।”