ରଥଯାତ୍ରା: ଅଖ ନିର୍ମାଣ ପାଇଁ ପହଞ୍ଚିଲା କାଠ

ରଥଖଳାରେ ଆଜି ପହଞ୍ଚିଲା ରଥକାଠ । 32ଟି 40 ଫୁଟିଆ କାଠ ପହଞ୍ଚିଛି । ଏହାସହ 10ଟି ଧଉରା, 22ଟି ଅସନ କାଠ ମଧ୍ୟ ପହଞ୍ଚିଲା ।

ପୁରୀ: ଚଳଚଞ୍ଚଳ ରଥ ଖଳା । ଚାଲିଛି ରଥ ନିର୍ମାଣ କାମ । ଏନେଇ ରଥଖଳାରେ ଆଜି ପହଞ୍ଚିଲା ରଥକାଠ । 32ଟି 40 ଫୁଟିଆ କାଠ ପହଞ୍ଚିଛି । ଏହାସହ 10ଟି ଧଉରା, 22ଟି ଅସନ କାଠ ମଧ୍ୟ ପହଞ୍ଚିଲା । ତେବେ ରଥଖଳାରେ ଅଖ ନିର୍ମାଣ ପାଇଁ କାଠ ଅଭାବ ଦେଖାଦେଇଥିବାରୁ ଅଖ ତିଆରି ବିଳମ୍ବ ହେଉଥିଲା ।

ଭଉଁରିରେ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ଏବେ ଚକ ଓ ଅଖ କାମ ଚାଲିବା କଥା । ଯଦିଓ ଚକ କାମ ଚାଲିଛି, କିନ୍ତୁ ଅଖ ନିର୍ମାଣ ଉପଯୋଗୀ ଧଉରା କାଠ ଆସିନଥିବାରୁ ଅଖ ନିର୍ମାଣ ବିଳମ୍ବ କାର୍ଯ୍ୟ ବିଳମ୍ବ ହୋଇଥିଲା । 3 ରଥ ପାଇଁ 21ଟି ଧଉରା କାଠ ଅଖ ପାଇଁ ଆବଶ୍ୟକ ଥିଲା।

ଅଖ ହେଉଛି ରଥର ମୁଖ୍ୟ । ଏହାକୁ ଯତ୍ନର ସହିତ ପ୍ରସ୍ତୁତ କରିବାକୁ ପଡ଼େ । ଏଥିପାଇଁ ସମୟ ମଧ୍ୟ ଦରକାର । ହେଲେ ରଥଖଳାକୁ ପର୍ଯ୍ୟାପ୍ତ ଓ ଉପଯୁକ୍ତ କାଠ ପହଞ୍ଚିନଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା  ।

ପ୍ରତିବର୍ଷ ରଥ ସମୟରେ କାଠ ଅଭାବକୁ ନେଇ ଅସନ୍ତୋଷ ଦେଖାଦେଉଛି । ଏହାର ସ୍ଥାୟୀ ସମାଧାନ କଣ ? ବନ ପ୍ରକଳ୍ପର ଭବିଷ୍ୟତ କଣ ? ଏକଥା ଚିନ୍ତା ନକଲେ ଆଗକୁ ରଥକାଠ ସମସ୍ୟା ଉତ୍କଟ ରୂପ ନେବ । ଯାହା ଜଳ ଜଳ ହୋଇ ଦେଖା ଯାଉଛି ।