ସ୍ତ୍ରୀକୁ ଛୁରୀ ଭୁସିଲା, ଗୋବର ଗାଡ଼ିଆରେ ପୋତିଲା, ପୋଲିସ ପାଖରେ ବାହାନା କଲା
ପରକ୍ରିୟାପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଶେଷରେ ମୃତଦେହକୁ ନେଇ ଗୋବର ଗଦାରେ ଲୁଚାଇ ରଖିଲା
ଓଡିଶା ଭାସ୍କର: ସନ୍ଦେହ କରି ସ୍ତ୍ରୀଙ୍କୁ ହତ୍ୟା। ମୃତଦେହକୁ ଗୋବର ଗଦାରେ ଲୁଚାଇ ରଖିଥିଲେ ସ୍ୱାମୀ। ସନ୍ଦେହ ହେଉଛି ମଣିଷର ସବୁଠୁ ବଡ ଶତ୍ରୁ। ସନ୍ଦେହ ପାଇଁ କେତେ ଲୋକଙ୍କର ଯେ ଜୀବନ ଯାଉଛି ତାହାର କଳନା କରିହେବନାହିଁ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ।
ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ମୃତଦେହକୁ ଏକ ଗୋବର ଗଦାରେ ଲୁଚାଇ ତା ପରଦିନ ସକାଳେ ନିଜେ ପୋଲିସ ପାଖକୁ ଯାଇ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପୋଲିସ ଯେତେବେଳେ ଘଟଣା ସମ୍ୱନ୍ଧରେ ତାଙ୍କୁ ପଚରାଉଚରା କଲେ ସେତେବେଳେ ପୋଲିସକୁ ସେହି ଲୋକ ଉପରେ ସନ୍ଦେହ ଆସିଲା। ଡରାଇ ଧମକାଇ ପଚାରିବାରୁ ବ୍ୟକ୍ତି ଜଣଙ୍କ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଥିଲେ।
ବାସ୍ତବରେ ଏହି ଘଟଣାଟି କନୌଜ ଜିଲ୍ଲାର ଇନ୍ଦରଗଡ଼ ଥାନା ଅଞ୍ଚଳର। ଏଠାରେ ଜଣେ ବ୍ୟକ୍ତି ଅବୈଧ ସମ୍ପର୍କ ରଖିଥିବା ସନ୍ଦେହ କରି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି, ରଜନୀକାନ୍ତ। ବାହାଘରରେ ଡ୍ରମ ବଜାଇ ସେ ନିଜ ପରିବାରର ପ୍ରତିପୋଷଣ କରନ୍ତି। ସେଥିପାଇଁ ସେ ପ୍ରାୟତଃ ସମୟ ରାତିରେ ଘରେ ରୁହନ୍ତିନି। 3ପିଲା ସହିତ ତାଙ୍କ ସ୍ତ୍ରୀ ଘରେ ରୁହନ୍ତି।
କିଛି ଦିନ ଧରି ରଜନୀକାନ୍ତ ସନ୍ଦେହ କରୁଥିଲେ ଯେ, ତାଙ୍କ ସ୍ତ୍ରୀଙ୍କର ଅନ୍ୟ କାହା ସହିତ ଅବୈଧ ସମ୍ପର୍କ ରହିଛି। ସେହି କାରଣରୁ ତାଙ୍କ ଭିତରେ ଝଗଡା ହେଉଥିଲା। ଶେଷରେ ଯେତେବେଳେ ତାଙ୍କ ପିଲାମାନେ ଶୋଇଥିଲେ ଏବଂ ତାଙ୍କ ବାପାମାଆ ଏକ ବିବାହରେ ଯୋଗ ଦେବାକୁ ଯାଇଥିଲେ, ରଜନୀକାନ୍ତ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ।
ହତ୍ୟା ପରେ, ସେ ମୃତଦେହକୁ ଘର ପଛରେ ଥିବା ଏକ ଗୋବର ଗଦାରେ ଲୁଚାଇ ପରଦିନ ସକାଳୁ ସକାଳୁ ପୋଲିସ ଷ୍ଟେସନରେ ପହଞ୍ଚିଲେ। ସେଠାରେ ସେ ତାଙ୍କ ସ୍ତ୍ରୀଙ୍କ ନିଖୋଜ ବିଷୟରେ କହିଥିଲେ। କିନ୍ତୁ, ଥାନାରେ ପଚରାଉଚରା ସମୟରେ ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା। ଯେତେବେଳେ ପୋଲିସ ରଜନୀକାନ୍ତଙ୍କୁ ଧମକେଇ ପଚରାଉଚରା କଲା, ସେତେବେଳେ ସେ ସମ୍ପୂର୍ଣ୍ଣ ସତ କହିଲେ। ତାପରେ ପୋଲିସ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ଗୋବର ଗଦାରୁ ଉଦ୍ଧାର କରିଥିଲା।