ଫେସବୁକରେ ପ୍ରେମ, ବିବାହ ପାଇଁ ଚାପ, ଶେଷରେ ଯନ୍ତ୍ରଣାଦାୟକ ମୃତ୍ୟୁ
ବିବାହିତା ସ୍ତ୍ରୀକୁ ଫେସବୁକରେ ହୋଇଗଲା ପ୍ରେମ, ତା ପରେ ହେଲା ଏମିତି ମୃତ୍ୟୁ
ଉତ୍ତରପ୍ରଦେଶ: ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା, ତା ପରେ ପ୍ରେମ, ଶେଷରେ ଯନ୍ତ୍ରଣାଦାୟକ ମୃତ୍ୟୁ। ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସମ୍ଭଲରେ।
ମହିଳା ଜଣଙ୍କ ବିବାହିତା ହୋଇକି ମଧ୍ୟ ତାଙ୍କୁ ଫେସବୁକରେ ନିଟୁ ନାମକ ଜଣେ ଯୁବକଙ୍କ ସହ ପ୍ରେମ ହୋଇଯାଉଛି। ଶେଷରେ ଘର ଛାଡି ତା ସହ ଫେରାର ହୋଇ ତାକୁ ବିବାହ କରିବା ପାଇଁ ମହିଳା ଜଣଙ୍କ ଯୁବକଙ୍କ ଉପରେ ଚାପ ପକାଉଛନ୍ତି। ଶେଷରେ ଯୁବକ ଜଣଙ୍କ ତାଙ୍କୁ ମାରି ଗଛରେ ଟାଙ୍ଗି ଦେଉଛନ୍ତି। ଯାହାର ଖୁଲାସା ପୁଲିସ କରିଛି।
ପୁଲିସଙ୍କ କହିବା ଅନୁସାରେ, ଗୁନ୍ନୌର ଥାନା ଅଞ୍ଚଳର ସେଜାନା ଗାଁର ଜଙ୍ଗଲରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ମୃତକଙ୍କ ନାମ ଜ୍ୟୋତି ଚିହ୍ନଟ ହୋଇଥିବା ବେଳେ ଅଭିଯୁକ୍ତ ଫେସବୁକ ପ୍ରେମିକକୁ ଗିରଫ କରିଛି ପୁଲିସ।
ପୁରା ଘଟଣା କଣ? SP ଅନୁକୃତି ଶର୍ମା କହିଛନ୍ତି ଯେ, ମୃତ ଜ୍ୟୋତି ତାଙ୍କ ସ୍ୱାମୀଙ୍କ ସହିତ ଖୁସି ନଥିଲେ। ଗତ ତିନି ମାସ ଧରି ସେ ତାଙ୍କ ବାପଘରେ ରହୁଥିଲେ। ଏହି ସମୟରେ ଜ୍ୟୋତି ଫେସବୁକରେ ଆଲିଗଡ଼ର ଜଣେ ଯୁବକଙ୍କ ସହ ପ୍ରେମରେ ପଡିଗଲେ। ଯୁବକ ଜଣଙ୍କ ଅନେକ ଥର ଜ୍ୟୋତିଙ୍କୁ ଭେଟିବାକୁ ମଧ୍ୟ ତାଙ୍କ ଘର ପାଖକୁ ଆସୁଥିଲେ।
ଶାଶୂଘର ଯିବାକୁ ଚାଁହୁନଥିଲା ଜ୍ୟୋତି : ଝିଅଟିର ପରିବାର ତାକୁ ତାଙ୍କ ଶ୍ୱଶୁର ଘରକୁ ଯିବା ପାଇଁ ଚାପ ଦେଉଥିବା ବେଳେ ଜ୍ୟୋତି ତାଙ୍କ ଶ୍ୱଶୁର ଘରକୁ ଯିବାକୁ ଚାହୁଁ ନଥିଲେ। ସେଥିପାଇଁ ଅନେକ ଥର ଝଗଡା ହେବା ସହ ପରିବାରର ସଦସ୍ୟମାନେ ତାଙ୍କୁ ମାଡ଼ ମାରୁଥିଲେ। ଯାହାକୁ ଜ୍ୟୋତି ଆଉ ସହି ନପାରି ପ୍ରେମିକ ଅର୍ଥାତ ନିଟୁଙ୍କ ସହିତ ଫେରାର ହୋଇଯିବା ପାଇଁ ନିଟୁଙ୍କ ଉପରେ ଚାପ ପକାଉଥିଲେ।
ବିବାହ ପାଇଁ ପ୍ରେମିକ ଉପରେ ଚାପ: ତା ପରେ ନିଟୁ ଜ୍ୟୋତିଙ୍କ ସହିତ ଗୁରୁଗ୍ରାମ ଯାଇଥିଲେ, ସେଠାକୁ ଯିବା ପରେ ଜ୍ୟୋତି ଜିଦ ଧରିଲେ ଯେ, ସେ ନିଟୁଙ୍କ ସହ ବିବାହ ମଧ୍ୟ କରିବେ। ନଚେତ ତାଙ୍କୁ ଜେଲ ପଠାଇବାକୁ ଧମକ ମଧ୍ୟ ଦେଲେ। ନିଟୁ କିନ୍ତୁ ବିବାହ କରିବାକୁ ଚାଁହୁନଥିଲେ। ଯେତେବେଳେ ଜ୍ୟୋତି ଜିଦ ଧରିବା ସହିତ ଧମକ ଦେବା ଆରମ୍ଭ କଲେ, ସେତେବେଳେ ନିଟୁ ଜ୍ୟୋତିଙ୍କୁ ମାରିବା ପାଇଁ ଯୋଜନା କରିଥିଲେ।
ଜ୍ୟୋତିର ଗଳା କାଟି ହତ୍ୟା: ନିଟୁ ଜ୍ୟୋତିଙ୍କୁ ଗୁରୁଗ୍ରାମରୁ ଗୁନ୍ନୌର ଆଣି ସେଜାନା ଗାଁର ଜଙ୍ଗଲରେ ତାଙ୍କ ଦୁଇ ବନ୍ଧୁ ରଞ୍ଜିତ କୁମାର ଏବଂ ସଞ୍ଜିତ କୁମାରଙ୍କ ସହିତ ମିଶି ପ୍ରଥମେ କ୍ଷେତରେ ଜ୍ୟୋତିଙ୍କୁ ଗଳାକାଟି ହତ୍ୟା କଲେ ଏବଂ ତା’ପରେ ତାଙ୍କ ମୃତଦେହକୁ ଏକ ଗଛରେ ଦଉଡି ସାହାଯ୍ୟରେ ଝୁଲାଇ ଦେଲେ, ଯାହାଦ୍ୱାରା ଲୋକମାନେ ଭାବିବେ ଯେ ଜ୍ୟୋତି ଆତ୍ମହତ୍ୟା କରିଛି।
ଏପରି କରିସାରିବା ପରେ ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ତାପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କଲା ଏବଂ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଲା।